ଟାପରେଙ୍ଗ ଗାଁରେ ପୁଲିସ୍ ମାଓବାଦୀ ମୁହାଁମୁହିଁ ଘଟଣା: ବିଭିନ୍ନ ସ୍ଥାନରେ ମାଓବାଦୀ ଲଗେଇଲେ ପୋଷ୍ଟର, ଲିଫ୍‌ଲେଟ୍‌

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗ୍ରାମ ପଂଚାୟତର ଟାପରେଙ୍ଗ ଗାଁରେ ଗତ ୯ ତାରିଖ ସକାଳେ ମାଓବାଦୀ ଓ ପୁଲିସ ମୁହାଁମୁହିଁ ଘଟଣା ପରେ ଆଜି ବିଭିନ୍ନ ସ୍ଥାନରେ ମାଓବାଦୀ ଲଗେଇଛନ୍ତି ପୋଷ୍ଟର ଓ ବ୍ୟାନର । ଉକ୍ତ ଗୁଳି ବିନିମୟ ଘଟଣାରେ ତିନି ଜଣ ମାଓବାଦୀ ନିହତ ହେଇଥିବାବେଳେ ଆଜି ଘଟଣାର ୬ ଦିନ ମଧ୍ୟରେ ପ୍ରବଳ ମାତ୍ରାରେ ଲିଫ୍‌ଲେଟ୍ ଓ ପୋଷ୍ଟର ମାଣିକେରା, ଡ଼ମ୍ବ କର୍ଲାଖୁଣ୍ଟା ପାଂଚୟତର ବିଭିନ୍ନ ସ୍ଥାନ ସମେତ ମ.ରାମପୁର-ମୋହନଗିରି ରାସ୍ତାରେ ବିଛେଇଥିବା ଦେଖିବାକୁ ମିଳଛି । ଏହି ପୋଷ୍ଟରରେ ପୋଲିସ ଇନ୍‌ଫର୍ମର୍ କାମ କରନ୍ତୁ ନାହିଁ, ଇନ୍‌ଫର୍ମର୍ ଭାବେ କାମ କରୁଥିବା ବ୍ୟକ୍ତି ଛାଡ଼ିବାକୁ ମାଓବାଦୀ ପାର୍ଟି(କେକେବିଏନ୍‌) ଡ଼ିଭିଜନାଲ କମିଟୀ ଆହ୍ୱାନ କରୁଛି, ଟଙ୍କା ବଡ଼ ନୁହେଁ, ଜୀବନ ବଡ଼ ଭାବି ପୁଲିସ ଖବର ଦାତା କାମ ଛାଡ଼ନ୍ତୁ, ପୁଲିସର କଥାରେ ନିଜ ମାନବିକତାକୁ ବିକି ମରନ୍ତୁ ନାହିଁ, ପୁଲିସ ଅଫିସର ଓ ଗୁଇନ୍ଦା ଅଫିସରର ଭୟ, ଚାପ ଓ ପ୍ରଲୋଭନରେ ପଡ଼ନ୍ତୁ ନାହିଁ, ଗାଁ ଗାଁରେ ପୁଲିସ ସୂଚନା ଦାତାଙ୍କୁ ଚିହ୍ନିତ କରି ମାଓବାଦୀ ପାର୍ଟିକୁ ସୂଚନା ଦିଅନ୍ତୁ ଏବଂ ନବୁଝିବା ପୁଲିସ ସୂଚନା ଦାତାକୁ ଗାଁରୁ ବହିଷ୍କାର କରନ୍ତୁ । ମାଓବାଦୀ ପାର୍ଟି ଆପଣମାନଙ୍କର, ପାର୍ଟି ଉପରେ ବିଶ୍ୱାସ ଓ ଭରସା ରଖ, ପାର୍ଟିକୁ ବଂଚାଇବା ଆପଣମାନଙ୍କ ଦାୟିତ୍ୱ, ପାର୍ଟି ବିରୁଦ୍ଧରେ ଓ ପୁଲିସକୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତିକୁ ବିରୋଧ କର, ଆଦିବାସୀ, ଦଳିତ ଯୁବକମାନେ ଆରଏସ୍‌ଏସ୍ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳରେ ଯୋଗ ଦିଅନ୍ତୁ ନାହିଁ । କାରଣ ସଂଘ ପରିବାର ଆଦିବାସୀ, ଦଳିତ ବିରୋଧୀ ଅଟେ । ପୁଲିସ ଇନ୍‌ଫର୍ମର୍ ବଦଳେ ହାତକୁ କାମ ପାଇଁ ସରକାର ପାଖରେ ଦାବୀ କରନ୍ତୁ ବୋଲି ଉଲ୍ଲେଖ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.