ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଢେଲ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ରଥ ଯାତ୍ରା ଦୁଇ ଦିନ ଧରି ମହା ସମାରୋହରେ ପାଳନ ହୁଏ । ପ୍ରଥମ ଦିନ ପହଣ୍ଡି ସହ ରଥାରୁଢ଼ ତିନି ଦିଅଁକୁ ରଖା ଯାଇଥାଏ ଏବଂ ଦ୍ୱିତୀୟ ଦିନରେ ଦିଅଁକୁ ନେଇ ମାଉସୀ ମା ଘରକୁ ଭକ୍ତ ମାନେ ନେଇ ଥାନ୍ତି । ସୁଭଦ୍ରାଙ୍କ ରଥକୁ ମା’ମାନେ ଟାଣି ଟାଣି ନେବା ସହ ତିନି ରଥରେ ଏହି ଯାତ୍ରା ଅନୁଷ୍ଠିତ ହୁଏ । କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର, ବୌଦ୍ଧ, ଫୁଲବାଣୀ, ନୂଆ ପଡା, ଆଦି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୁଏ । ବ୍ୟବସାୟୀଙ୍କ ପାଇଁ ଏକ ବ୍ୟବସାୟ କେନ୍ଦ୍ର ପାଲଟିଥାଏ କଢେଲ ରଥ ଯାତ୍ରା । ତେବେ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସୁରକ୍ଷାକୁ ଦୃଷ୍ଟି ଦେଇ ଥାଏ । ତଥାପି ରଥ ଯାତ୍ରାରୁ ବାହାରି ମ.ରାମପୁର ରାସ୍ତା, କେସିଙ୍ଗା ରାସ୍ତା ଆଦିରେ ଦୃତ ଗାଡ଼ି ଚାଳନା ଦେଖିବାକୁ ମିଳେ । ଗତ ବର୍ଷ ଜଣଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ମଧ୍ୟ ହେଇଥିଲା, ତେଣୁ ଏଇ ଦୁଇ ରାସ୍ତାରେ ଯାତ୍ରା ପରେ ଭିଡ଼ ନିୟନ୍ତ୍ରଣ କରିବା ଦିଗରେ ପୁଲିସ୍ ବିଭାଗ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଇଚି ।