ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣକୁ ଆସିବା ବଦଳରେ ଆହୁରି ବଢିଚାଲିଛି। ଯେଉଁଥିପାଇଁ ଲୋକଙ୍କ ଦୁର୍ଦଶା ମଧ୍ୟ ବଢି ଚାଲିଛି। ସାଧାରଣ ଲୋକଙ୍କୁ ଘାଇଲା କରୁଛି ମହଙ୍ଗାମାଡ଼। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦର ମନଇଚ୍ଛା ବଢ଼ି ଚାଲିଥିବାବେଳେ ପରିବା ବଜାରରେ ଲାଗିଛି ନିଆଁ। ଗ୍ୟାଗ ଦର ବୃଦ୍ଧି ପରେ ପରେ ପରିବା ଦର ଦେଖି ତାଜୁବ ହୋଇ ଯାଇଛନ୍ତି ଗ୍ରାହକ। ଟମାଟୋ ୧୫୦ ଅତିକ୍ରମ କରିଥିବାବେଳେ ଅଦା ୩୦୦, ଜିରା କିଲୋ ପ୍ରତି ୮୦୦ ଟଙ୍କା ଛୁଇଁଛି। ଔଷଧ, କପଡ଼ା, ହୋଟେଲ ଖାଦ୍ୟ, କୃଷି ଉପକରଣ, ସାର, ବିହନ, ସୁନା, ରୁପା ଏପରି ସବୁ ସାମଗ୍ରୀର ଦର ବଢି ଚାଲିଛି। ସାଧାରଣ ଜନତା ଦରବୃଦ୍ଧି ଯୋଗୁଁ ଅତିଷ୍ଠ ହୋଇ ପଡିଲେଣି। ବିରୋଧି ଦଳ ପକ୍ଷରୁ ଦରବୃଦ୍ଧି ପ୍ରତିବାଦରେ ଅନେକଥର ପ୍ରତିବାଦ ହୋଇ ରାଜରାସ୍ତାରେ ପ୍ରତିବାଦ ହୋଇଛି, କିନ୍ତୁ ସରକାରଙ୍କ ଉପରେ ଏହି ବିରୋଧଭାସର କୈାଣସି ପ୍ରଭାବ ପଡୁ ନଥିବା ପରିଲକ୍ଷିତ ହେଉଛି।
ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳଗୁଡିକ ଏହାକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କଂଗ୍ରେସ ପକ୍ଷରୁ ଭିନ୍ନ ଭିନ୍ନ ଟ୍ୱିଟ ମାଧ୍ୟମରେ ଦେଶରେ ବିଭିନ୍ନ ଖାଉଟି ସାମଗ୍ରୀର ଦାମ ଦର୍ଶାଯାଇ ସମାଲୋଚନା କରାଯାଇଛି। ଦେଶର ପୁଞ୍ଜିପତି ମାନଙ୍କର ସଂପତ୍ତି ବଢାଇବା ଏବଂ ଲୋକଙ୍କ ଠାରୁ ଟ୍ୟାକ୍ସ ଆଦାୟ କରିବା ବ୍ୟସ୍ତତା ଭିତରେ ବିଜେପି ସରକାର ଦେଶର ଗରିବ ଓ ମଧ୍ୟବିତ୍ତ ମାନଙ୍କୁ ଭୁଲିଯାଇଛି ବୋଲି ଟ୍ୱିଟ ମାଧ୍ୟମରେ କହିଛନ୍ତି ରାହୁଲ। ଦେଶର ଯୁବବର୍ଗ ବେରୋଜଗାର ଓ ଯଦି ରୋଜଗାର କରୁଛନ୍ତି ତାହା କମ। ସେପଟେ ଗରିବ ମାନେ ଖାଇବା ଟିକେ ପାଇବାକୁ ଛଟପଟ ହେଉଛନ୍ତି ଓ ମଧ୍ୟବିତ୍ତ କିଛି ସଞ୍ଚୟ କରିବା ମଧ୍ୟ ସମ୍ଭବ ହେଉନି। ତେଣୁ ଏଭଳି ସ୍ଥିତିରେ ଲୋକଙ୍କୁ ରକ୍ଷା କରିବାକୁ କଂଗ୍ରେସ ଶାସିତ ରାଜ୍ୟରେ ସରକାର ମହଂଗାଇ ରାହତ କ୍ୟାମ୍ପ ମାଧ୍ୟମରେ ବହୁ ସହାୟତା ଦେଉଛନ୍ତି ବୋଲି ରାହୁଲ କହିଛନ୍ତି। ତେଣୁ ଲୋକଙ୍କ ଏହି ପ୍ରମୁଖ ପ୍ରସଙ୍ଗ ଉପରୁ ବିଜେପି ଧ୍ୟାନ ହଟାଇବା ପାଇଁ ଯେଉଁ ଉଦ୍ୟମ କରୁଛି ତାହା କରିବାକୁ ଦିଆଯିବନି ବୋଲି ରାହୁଲ କହିଛନ୍ତି। ସେପଟେ ପ୍ରିୟଙ୍କା ମଧ୍ୟ ଅନ୍ୟ ସବୁ ସାମଗ୍ରୀ ସହ ପେଟ୍ରୋଲ ଦାମକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭୋପାଳ ଗସ୍ତ ବେଳେ ମହଂଗାଇର ଯେଉଁ ଲିଷ୍ଟ ପଢିଲେ ଏହି ଲିଷ୍ଟ କିଏ ଭୁଲ ପ୍ରସ୍ତୁତ କରିଥିଲା ବୋଲି ପ୍ରିୟଙ୍କା କହିଛନ୍ତି। ଏ ପ୍ରସଂଗରୁ ଧ୍ୟାନ ହଟେଇବା ପାଇଁ ବିଜେପି ଯେଉଁ ଯୋଜନା କରିଛି ସେ ଯୋଜନା ହିମାଚଳ ପ୍ରଦେଶରେ ଚାଲି ନ ଥିବା ବେଳେ କର୍ଣ୍ଣାଟକରେ ବି ଚାଲିଲାନି। ତେଣୁ ମଧ୍ୟପ୍ରଦେଶରେ ବି ବିଜେପିର ଏ ଚାଲ ଚାଳିବନି ବୋଲି ପ୍ରିୟଙ୍କା କହିଛନ୍ତି। ତେଣୁ ଦରଦାମ ବୃଦ୍ଧି ପ୍ରସଙ୍ଗକୁ କଂଗ୍ରେସ ଏବେ ବଡ଼ ରାଜନୈତିକ ପ୍ରସଙ୍ଗ କରିଛି।
ଏପଟେ ପେଟ୍ରୋଲ ଲିଟରପିଛା ଶହେରୁ ଅଧିକ ଟଙ୍କା ଦେଇ କିଣିବା ଜନତାଙ୍କ ପକେଟକୁ ଭାରି ପଡୁଛି। ଏବେ କେମିତି ଏଥିରୁ ତ୍ରାହୀ ମିଳିବ ତାର ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡକରୀ। ସରଳ ଉପାୟ ଆପଣାଇଲେ ଲିଟର ପେଟ୍ରୋଲ ୧୫ଟଙ୍କାରେ ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଇଥାନଲ ଓ ବିଦ୍ୟୁତ ଶକ୍ତିର ବ୍ୟବହାର କରାଗଲେ ତାହା ପେଟ୍ରୋଲର ବିକଳ୍ପ ଭାବେ କାମ କରିବ। ଫଳରେ ପେଟ୍ରୋଲ ଆମାଦାନୀ ଉପରେ ନିର୍ଭର କରିବାକୁ ପଡିବନି ଓ ପେଟ୍ରୋଲର ଦର କମ ହେବ ବୋଲି ଗଡକରୀ କହିଥିଲେ। ଆଗାମି ଦିନରେ କୃଷକ କେବଳ ଦେଶର ଅନ୍ନଦାତା ନୁହେଁ ଶକ୍ତିଦାତା ହେବେ। ପ୍ରତାପଗଡ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଅଗଷ୍ଟମାସରେ ଟୟୋଟଗାଡି ଲଂଚ ହେବ ଓ ଏହା ଚାଷୀଙ୍କ ଦ୍ୱାରା ନିର୍ମିତ ଇଥୋନଲରେ ପରିଚାଳିତ ହେବ। ଏହି କ୍ରମରେ ଯଦି ୪୦ପ୍ରତିଶତ ଗାଡି ବିଜୁଳିରେ ଓ ୫୫ ପ୍ରତିଶତ ଗାଡି ଇଥୋନଲରେ ଚାଲିବ ତେବେ ଦେଶରେ ଗୋଟିଏ ଲିଟର ପେଟ୍ରୋଲ କେବଳ ୧୫ଟଙ୍କାରେ ମିଳିପାରେ। ଭବିଷ୍ୟତରେ ୧୬ଲକ୍ଷ କୋଠି ଟଙ୍କାର ପେଟ୍ରୋଲ ଆମାଦାନୀ ରୋକ ଯାଇପାରିବ। ତେବେ ସେ ଯାହାହେଉ ଦରବୃଦ୍ଧି କିପରି ନିୟନ୍ତ୍ରଣକୁ ଆସିବ ସେନେଇ କେନ୍ଦ୍ର ସରକାର ଗମ୍ଭିର ଭାବେ ଚିନ୍ତା କରିବା ଜରୁରୀ ହୋଇପଡିଛି।