ଇଂଜିନିୟରିଙ୍ଗ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଏକ ଘରୋଇ ଇଂଜିନିୟରିଙ୍ଗ କଲେଜର ଜଣେ ଇଂଜିନିୟରିଙ୍ଗ ଛାତ୍ର ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି | ମୃତକ ଜଣକ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଭୁଜବଳ ସ୍ଥିତ ମିଟ୍ସ ଇଂଜିନିୟରିଙ୍ଗ କଲେଜର କୃଷି ବିଭାଗର ତୃତୀୟ ବର୍ଷର ଛାତ୍ର ପ୍ରିତମ ପ୍ରଧାନ (୧୯) ବୋଲି ଜଣାପଡ଼ିଛି | ତାଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡିଛି | ଖବର ପାଇ ଚାନ୍ଦିଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଏ ନେଇ ଚାନ୍ଦିଲି ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ପ୍ରତିଦିନ ପରି ଆଜି ସକାଳେ ପ୍ରିତମ ଜଳଖିଆ କରି ନିଜ ରୁମକୁ ଯାଇଥିବା ବେଳେ ତାଙ୍କ ସହପାଠୀ ମାନେ କଲେଜକୁ ଯାଇଥିଲେ | ତେବେ କଲେଜକୁ ପ୍ରିତମ ନ ଆସିବାରୁ ତାଙ୍କ ସହ ପାଠୀ ବନ୍ଧୁ ମାନେ ପୁଣି ହଷ୍ଟେଲ କୁ ଆସି ପ୍ରିତମ ରହୁଥିବା ରୁମ’ର କବାଟ ଖୋଲିବାକୁ କହିଥିବା ବେଳେ ଦୀର୍ଘ ସମୟ ଧରି ପ୍ରିତମ ଭିତର ପଟୁ କବାଟ ନ ଖୋଲିବାରୁ ହଷ୍ଟେଲ ୱାଡେର୍ନଙ୍କୁ ଜଣାଇଥିଲେ | ୱାର୍ଡେନ ମଧ୍ୟ ଆସି କବାଟ ଖୋଲିବାକୁ କହିବା ପରେ ମଧ୍ୟ ପ୍ରିତମ କିଛି ଉତ୍ତର ନ ଦେବାରୁ ସନ୍ଦେହ କରି ଚାନ୍ଦିଲି ଥାନା କୁ ଜଣାଯାଇଥିଲା | ତୁରନ୍ତ ଘଟଣା ସ୍ଥଳରେ ଚାନ୍ଦିଲି ଥାନା ପୋଲିସ ପହଂଚି କବାଟ ଭାଙ୍ଗି ରୁମ ଭିତରକୁ ଯାଇଥିଲେ | ତେବେ ରୁମ ଭିତରେ ପ୍ରିତମଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା | ରୁମରେ ଥିବା ସିଲିଂ ଫେନରେ ଦଉଡି ଲଗାଇ ପ୍ରିତମ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ତୁରନ୍ତ ପ୍ରିତମଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ଶ୍ରୀ ହିଆଲ ପ୍ରକାଶ କରିଛନ୍ତି | ମୃତ ପ୍ରିତମଙ୍କ ବାପା ବୀରେନ୍ଦ୍ର ପ୍ରଧାନ ଓ ସମ୍ପର୍କୀୟମାନେ ରାୟଗଡା ରେ ପହଂଚି ଥିବା ବେଳେ ଆଜି ରବିବାର ହୋଇଥିବାରୁ ଆସନ୍ତାକାଲି ପ୍ରିତମଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.