ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ -ପିନାକୀ ମିଶ୍ର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ବିଜେଡି । ଅନାସ୍ଥା ପ୍ରସ୍ତାବ ବିତର୍କରେ ମତ ରଖି ବିଜେଡି ସାଂସଦ ପିନାକୀ ମିଶ୍ର  ‘କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି । ତେଣୁ କଂଗ୍ରେସ ପାର୍ଟି ଆଣିଥିବା ମୋସନକୁ ଆମେ ସମର୍ଥନ କରିପାରିବୁ ନାହିଁ’ ବୋଲି କହି ବିଜେପିକୁ ଖୋଲା ସମର୍ଥନ କରିଛନ୍ତି ।

ଖାଲି ବିଜେପିକୁ ସମର୍ଥନ କରିନାହାନ୍ତି, କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀଙ୍କୁ ଭୁରି ପ୍ରଶଂସା ବି କରିଛନ୍ତି । କେନ୍ଦ୍ରର ସାହାଯ୍ୟ ପାଇଁ  କୃତଜ୍ଞ ବୋଲି କହିଛନ୍ତି । ମୋଦିଙ୍କୁ ଜଣେ ଭଲ ବକ୍ତା ବୋଲି କହି ପ୍ରଶଂସା କରିଛନ୍ତି ।

ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନ କରିବାର ଅନେକ କାରଣ ସଂସଦରେ ଉପସ୍ଥାପନ କରିଥିଲେ ପିନାକୀ ।  ସାଂସଦ ପିନାକୀ ମିଶ୍ର କହିଛନ୍ତି,  ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ । କେନ୍ଦ୍ର ସରକାର ଆମର ସବୁ ଦାବି ପୂରଣ କରି ନାହାନ୍ତି । ଏହା ପଛରେ ଅର୍ଥନୈତିକ ବାଧ୍ୟ ବାଧକତା ଥାଇ ପାରେ । କିନ୍ତୁ ଅନେକ କ୍ଷେତ୍ରରେ କେନ୍ଦ୍ର ସରକାର ଆମକୁ ସହଯୋଗ କରିଛନ୍ତି । ଏପରିକି ନିକଟରେ ଗୃହମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ କହିଛନ୍ତି । ସଂଘୀୟ ବ୍ୟବସ୍ଥାରେ ଆମ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି । ତେଣୁ ବିଜେଡି ଏହି ପ୍ରସ୍ତାବକୁ ବିରୋଧ କରିବ ।

ମଣିପୁର ପ୍ରସଙ୍ଗ ଉଠାଇ ସାଂସଦ ମିଶ୍ର କହିଥିଲେ, ମଣିପୁରରେ ଯାହା ଘଟିଲା ତାହା ନିଶ୍ଚିତ ଭାବରେ ପରିତାପର ବିଷୟ । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବା ଠିକ୍‌ ହୋଇନି । ଏହା ଦ୍ୱାରା କେବଳ ସମୟ ଅପଚୟ ହେବ । ପରିଣାମ କ’ଣ ହେବ ଜଣା ଅଛି ।

ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି,  ପ୍ରଧାନମନ୍ତ୍ରୀ ଜଣେ ଭଲ ବକ୍ତା । ସଂସଦର ସବୁ ଅଧିବେଶନରେ ସେ କହିଥାନ୍ତି ।   ଯେତେଥର ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି, ସେତେ ଥର କଂଗ୍ରେସକୁ ଅପଦସ୍ଥ କରିଛନ୍ତି । ତେବେ ନିଜ ନାକ କାଟିବା ପାଇଁ  କଂଗ୍ରେସ କଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ କହିବାକୁ ବାଧ୍ୟ କରୁଛନ୍ତି ? ତେଣୁ  କଂଗ୍ରେସ ଗଠନମୂଳକ ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ସେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.