ଦିଲ୍ଲୀର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ; ଜବାବ ଦେଲା ଆପ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ‘ଇଣ୍ଡିଆ’  ମେଣ୍ଟରେ ଫାଟ । ୨୦୨୪ ନିର୍ବାଚନରେ ବିଜେପି ମେଣ୍ଟ ଏନଡିଏକୁ ଟକ୍କର ଦେବା ପାଇଁ ୨୬ ବିରୋଧୀ ଦଳ ଏକାଠି ହୋଇ ନୂଆ ମେଣ୍ଟ ‘ଇଣ୍ଡିଆ’ ଗଢିଛନ୍ତି । ପଣ କରିଛନ୍ତି ବିଜେପିକୁ ହରାଇବେ । ହେଲେ ଘରେ ନ ପଶୁଣୁ ଚାଳ ବାଜିଲାଣି । କାରଣ ନିର୍ବାଚନ ପାଇଁ ଆସନ ବୁଝାମଣାକୁ ନେଇ ଆରମ୍ଭ ହୋଇଗଲାଣି ତୁତୁମେମେ ।କୁହାଯାଉଛି, ଜୁଲାଇ ୩୧  ଏବଂ ଅଗଷ୍ଟ  ୧ ତାରିଖ ମୁମ୍ବାଇ ବୈଠକରେ ଆସନ ବୁଝାମଣା ନେଇ ନିଷ୍ପତ୍ତ ନିଆଯିବ । ହେଲେ ତା ପୂର୍ବରୁ ମେଣ୍ଟରେ ଦେଖା ଗଲାଣି ଫାଟ । କାରଣ ରାଜଧାନୀ ଦିଲ୍ଲୀର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି କଂଗ୍ରେସ ଘୋଷଣା କରିସାରିଲାଣି । ଦିଲ୍ଲୀରେ କଂଗ୍ରେସର  ଏକ ବୈଠକ ହୋଇଥିଲା । ଏଥିରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ, ରାହୁଲ ଗାନ୍ଧୀ, କେସି ବେଣୁଗୋପାଳଙ୍କ ସମେତ ଅନ୍ୟ ବରିଷ୍ଠ ନେତା  ଉପସ୍ଥିତ ଥିଲେ । ବୈଠକରେ କଂଗ୍ରେସ  ଦିଲ୍ଲୀର ସମସ୍ତ ଲୋକ ସଭା ଆସନରେ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି । ବୈଠକରେ ଆପ ସହ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନାହିଁ । କଂଗ୍ରେର ଏପରି ଘୋଷଣା ଇଣ୍ଡିଆ ମେଣ୍ଟକୁ ଏକ ବଡ ଝଟକାଠାରୁ କମ ନୁହେଁ ।

କଂଗ୍ରେସ ନେତା ଅନିଲ ଚୌଧୁରୀ କହିଛନ୍ତି, ତାଙ୍କ ଦଳ ସଂଗଠନକୁ ମଜବୁତ କରି ଏକଜୁଟ ହୋଇ ଲଢିବ । ଆମେ ଆପ ସହ ମେଣ୍ଟ ନେଇ କୌଣସି ଆଲୋଚନା କରିନାହୁଁ । ଅରବିନ୍ଦ କେଜ୍ରିୱାଲ ସରକାରରେ ହୋଇଥିବା ଦୁର୍ନୀତିକୁ ନେଇ ଲୋକଙ୍କ ପାଖକୁ ଯିବୁ । ୨୦୨୪ରେ ନିର୍ବାଚନରେ ଜିତିବୁ ଏବଂ ୨୦୨୫ରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ ।

ସେହିପରି କଂଗ୍ରେସ ନେତା ଅଳକା ଲାମ୍ବା କହିଛନ୍ତି, ବୈଠକରେ ଲୋକସଭା ନିର୍ବାଚନ ଉପରେ ଆଲୋଚନା ହୋଇଥିଲା । ସମସ୍ତ ୭ ସିଟରେ ଆମେ ନିର୍ବାଚନ ଲଢିବୁ ବୋଲି ନିଷ୍ପତ୍ତି ନିଆ ଯାଇଥିବା ସେ ମଧ୍ୟ କହିଛନ୍ତି । ଏହାର ପାଲଟା ଜବାବ ଦେଇଛି ଆପ । ଦିଲ୍ଲୀର ମନ୍ତ୍ରୀ ତଥା ଆପ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି, ‘ଯେତେବେଳେ ଇଣ୍ଡିଆର ସବୁ ଦଳ ବସି ସିଟ ବଣ୍ଟା ନେଇ ଆଲୋଚନା କରିବେ ସେତେବେଳେ ଜଣାପଡିବ କେଉଁ ଦଳକୁ କେଉଁ ସିଟ ମିଳୁଛି । ଏଥିପାଇଁ ବହୁତ ସମୟ ଅଛି ।’ ତେବେ ଅନିଲ ଚୌଧୁରୀ ଏବଂ ଅଳକା ଲାମ୍ବାଙ୍କ ଜବାବ ଦେଇ କହିଛନ୍ତି ସେମାନେ ବହୁତ ଛୋଟ ଛୋଟ ନେତା । ଏମାନଙ୍କର ଅମାନତ ହରାଇଥିବା ନେତା । ସେମାନେ କ’ଣ କହିବେ ବୋଲି କଟାକ୍ଷ କରି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.