ବସରେ ଫେରୁଥିବା ବେଳେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ବାଇକରେ ବୁହାହେଲା ଶବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି। ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ। ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ନିର୍ଯାତନା ସହି ନ ପାରି ଅନେକଙ୍କ ମୃତ୍ୟୁ ହେଉଥିବାବେଳେ ଏମିତିରେ ଆଜି ଜଣେ ଶ୍ରମିକ ଅସୁସ୍ଥ ହୋଇ ହାଇଦ୍ରାବାଦରୁ ନିଜ ଘରକୁ ଫେରୁଥିବାବେଳେ ଅଧା ବାଟ ବସରେ ହିଁ ଟଳି ପଡ଼ିଥିବା ଜଣାପଡିଛି। ତେବେ ବସ୍ ରୁ ଓହ୍ଲାଇ ମୃତ ଶ୍ରମିକଙ୍କ ଶବକୁ ପରିବାର ଲୋକେ ବାଇକରେ ବୋହି ନିଜ ଗାଁ କୁ ନେଇଥିବା ପରି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ମୃତ ଶ୍ରମିକ ଜଣକ ଜୟପାଟଣା ବ୍ଲକ କାଦୋପଦର ଗ୍ରାମର ଗିରିଧାରୀ ବାଗ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ଦୁଇ ମାସ ତଲେ ଗିରିଧାରୀ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ ନିୟୋଜିତ ରହିଥିଲେ। ତେବେ ତାଙ୍କର ଦେହ ଅସୁସ୍ଥ ହେବା ଫଲରେ ସାଥି ଶ୍ରମିକ ମାନଙ୍କ ସହିତ ନିଜ ଗାଁକୁ ଫେରୁଥିବାବେଳେ ଅଧା ବାଟରେ ବସ୍ ରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆମପାଣିରେ ବସ ପହଞ୍ଚିବା ପରେ ମୃତ ଶ୍ରମିକଙ୍କ ଶବ କୁ ଏକ ବାଇକ୍ ଯୋଗେ ନିଜ ଗାଁ କାଦୋପଦର କୁ ନେଇଥିବା ସୂଚନା ମିଳିଛି। ତେବେ ଏଭଲି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.