ଓଡ଼ିଆ ବାର୍ତ୍ତା/ ସିଡନୀ: ଇଂଲଣ୍ଡ ଚଳିତ ଫିଫା ମହିଳା ବିଶ୍ୱକପ ଫୁଟବଲର ଫାଇନାଲରେ ପ୍ରବେଶ କରିଛି । ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୩-୧ ଗୋଲରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଫାଇନାଲରେ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ ପ୍ରଥମ ଥର ପାଇଁ ଏହି ମେଗା ଇଭେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ମ୍ୟାଚର ୩୬ତମ ମିନିଟରେ ଇଲା ଟୁନେ ଇଂଲଣ୍ଡକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ସ୍ୟାମ କେର ୬୩ତମ ମିନିଟରେ ଗୋଲ କରି ମ୍ୟାଚକୂ ୧-୧ ସମାନ ସ୍ଥିତିକୁ ଆଣି ଦେଇଥିଲେ । ତେବେ ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ ଏହି ଖୁସି ବେଶୀ ସମୟ ରହି ନ ଥିଲା । ୭୧ତମ ମିନିଟରେ ଲାରେନ ହୋପଙ୍କ ଗୋଲ ଇଂଲଣ୍ଡକୁ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଥିଲା ।ନିୟମିତ ସମୟର ୪ ମିନିଟ ପୂର୍ବରୁ ଏଲସିଆ ରୁସୋଙ୍କ ଗୋଲ ଇଂଲଣ୍ଡକୁ ବିଜୟୀ କରାଇଥିଲା । ଅଷ୍ଟ୍ରେଲିଆ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ଅଷ୍ଟ୍ରେଲିଆର ପରାଜୟ ଘରୋଇ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ଶନିବାର ଅଷ୍ଟ୍ରେଲିଆ ଓ ସ୍ୱୀଡେନ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମୁକାବିଲା ହେବ ।