ଜଳସେଚନର ସୁବ୍ୟବସ୍ଥା ପାଇଁ ବିଧାୟକ ଓ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ଇନ୍ଦ୍ରାବତୀ ବଙ୍ଗଳା ଠାରେ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ଅଧ୍ୟକ୍ଷତାରେ ଜଳସେଚନ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଇନ୍ଦ୍ରାବତୀ ବାମ କେନାଲ ବିଭାଗ, ମେଗାଲିଫ୍ଟ କେନାଲ,କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ। ବୈଠକରେ ଅଞ୍ଚଳର ଅଧିକରୁ ଅଧିକ ଚାଷୀ କିପରି ଜଳ ପାଇପାରିବେ ସେ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ସ୍ଥାନରେ ଜଳସେଚନରେ ଦେଖାଦେଉଥିବା ସମସ୍ଯାଗୁଡ଼ିକୁ ଶୀଘ୍ର ସମାଧାନ କରି ଚାଷୀମାନଙ୍କୁ ଜଳ ଯୋଗଇଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ବେହେରା ଡେମ, ଅଠର ନଳା ଚେକ ଡେମ, ବାବେକୋହରା ଚେକ ଡେମ ଓ ଅନ୍ୟ ଚେକ ଡେମ ମରାମତି ଅଭାବରୁ କେନାଲ ଅନେକ ସ୍ଥାନରେ ଭାଙ୍ଗି ପଡ଼ିଛି। ଫଳରେ ତଳ ମୁଣ୍ଡ ପର୍ଯ୍ୟନ୍ତ ଜଳସେଚନ ହୋଇ ପାରୁନାହିଁ। ସେହିପରି ମେଗାଲିଫ୍ଟ କେନାଲରୁ ମଧ୍ୟ ଅନେକ ପଞ୍ଚାୟତର ଚାଷି ଜଳସେଚନରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ।ମେଗାଲିଫ୍ଟ କେନାଲ ଲଡୁଗାଁ, ଗମ୍ଭାରୀଗୁଡା, ମାଝିଗୁଡା, ଟେମରା, ସାନପୋଡ଼ାଗୁଡା ପଞ୍ଚାୟତ ଦେଇ ଯାଇଥିବାବେଳେ ଅଞ୍ଚଳର ଚାଷୀମାନେ କେନାଲରୁ ଜଳସେଚନ ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା ବୈଠକରେ ଜନ ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ଏନେଇ ବିଧାୟକ ଇଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନୀଲ କୁମାର ପାଣିଗ୍ରାହୀ, କୁସୁମଖୁଣ୍ଟି ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ତୃପ୍ତ କୁମାର ପାତ୍ର, ମେଗାଲିଫ୍ଟ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବଣ୍ଟି ବାଗଙ୍କ ସହ ଆଲୋଚନା କରିଥିଲେ। ଖରିଫ ଋତୁରେ ଚାଷୀଙ୍କୁ କିପରି ଜଳସେଚନ ସୁବିଧା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରିବାକୁ କହିଥିଲେ। ଏହି ସମୀକ୍ଷା ବୈଠକରେ ଧର୍ମଗତ ବିଧାନସଭା ବିଜେଡି ସଭାପତି ମାନସରଞ୍ଜନ ବାଗ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝି, ତ୍ରିନାଥ ବାଗ, ଶଙ୍କର ଜୁଏଡ଼, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝି, ବ୍ଳକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା ସମେତ ଇନ୍ଦ୍ରାବତୀ ବାମ କେନାଲ, ମେଗାଲିଫ୍ଟ କେନାଲ ଓ କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.