କଂଗ୍ରେସ ପ୍ରତିନିଧି ମଣ୍ଡଳୀର ମରୁଡି ଅଞ୍ଚଳ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ି ସ୍ଥିତି ଦେଖା ଦେଇଛି। ଧରା ଶ୍ରାବଣରେ ମଧ୍ୟ ଚାଷ ଜମି ସୁଖିଲା ପଡ଼ିଛି। ଅଧିକାଂଶ ଜମିରେ ରୁଆ କାର୍ଯ୍ୟ ବି ଆରମ୍ଭ ହୋଇଥିବାବେଳେ ଚାଷ ଜମିରେ ତଲି ମରିବାକୁ ବସିଲାଣି। ଏହାର ସ୍ଥିତି ପରଖିବା ପାଇଁ କଂଗ୍ରେସ ଦଳର ଏକ ପ୍ରତନିଧି ମଣ୍ତଳୀ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ କଂଗ୍ରେସର ସମ୍ପାଦକ ଦିଗାମ୍ବର ଦୁରିଆଙ୍କ ସହିତ କଳାହାଣ୍ଡି ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ, ଯୁବନେତା ଡାକେଶ୍ୱର ଲହଜଲ, ହରିଶ୍ଚନ୍ଦ୍ର ନାଏକ ପ୍ରମୁଖ ମରୁଡି ପ୍ରପୀଡିତ ଅଞ୍ଚଳର ଗୋତମୁଣ୍ଡା, ପୋଡ଼ାଗୁଡା, କୁଲେରଗୁଡା, ଘଣ୍ଟିଗୁଡ଼ା, ଖଳିଗଡ, ବଡକେନ୍ଦୁଗୁଡ଼ା, ତଲାଗାଁ, ରଏନଗୁଡା, ବଡ଼ପୋଡ଼ାଗୁଡ଼ା ଆଦି ଅଞ୍ଚଳ ପରିଦର୍ଶନ କରି ରାସ୍ତା ଘାଟରେ କ୍ଷତିଗ୍ରସ୍ତ ଚାଷ ଜମି ସବୁ ଦେଖି ଚାଷୀ ମାନଙ୍କୁ ସାକ୍ଷାତ କରି ସେମାନଙ୍କ ଚାଷର କ୍ଷତି ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅଞ୍ଚଳର ଚାଷୀଙ୍କ ଅଧିକାଂଶ ଚାଷ ଜମିରେ ପାଣି ଅଭାବ ଯୋଗୁଁ ବେଉଷଣ ହୋଇ ନାହିଁ, ଏମିତି କି ତଳି ମଧ୍ୟ ରୁଆ ହୋଇ ପାରିନାହିଁ। ମରୁଡି ସ୍ଥିତି ଗମ୍ଭୀର ହେବାରୁ ଚାଷୀମାନେ ହତାଶ ହୋଇ ପଡିଲେଣି। ଅଞ୍ଚଳର ଚାଷୀମାନେ ବାରମ୍ବାର ଦାବୀ ସତ୍ତ୍ୱେ କୌଣସି ପ୍ରକାର ଜଳସେଚନ ବ୍ୟବସ୍ଥା ହୋଇନାହଁ। ଏମିତି କି ଇନ୍ଦ୍ରାବତୀ କେନାଲ କିମ୍ବା ମେଗା ଉଠାଜଳସେଚନ ପ୍ରକଳ୍ପରୁ ଏହି ଅଞ୍ଚଳର ଚାଷୀମାନେ ବଞ୍ଚିତ ହୋଇଛନ୍ତି। ଯାହା ଫଳରେ ବର୍ଷା ଜଳ ଭରସାରେ ପ୍ରତିବର୍ଷ ଚାଷୀ ଚାଷ କାର୍ଯ୍ୟ ଆଗେଇ ନିଅନ୍ତି। ପ୍ରତି ୩/୪ ବର୍ଷରେ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖା ଦେଇଥାଏ। ମରୁଡି ଅଞ୍ଚଳ ପରିଦର୍ଶନ ପରେ ଚାଷୀ ମାନଙ୍କୁ ସରକାର ତୁରନ୍ତ ଗଜା ମରୁଡି ସାହାଯ୍ୟ ଦେବା ସହ ୫୦ ପ୍ରତିଶତ କୃଷି ବୀମା ପ୍ରଦାନ କରାଯାଉ ବୋଲି ଏହି ପ୍ରତିନିଧି ମଣ୍ଡଳୀ ଦାବୀ କରିଛନ୍ତି। ଏବଂ ଚାଷୀଙ୍କୁ ଶୀଘ୍ର ଆର୍ଥିକ ସାହାଯ୍ୟ ନ ଦେଲେ ଆଗାମୀ ଦିନରେ ବିରାଟ ଚାଷୀ ଆନ୍ଦୋଳନ କରି କୋକସରା ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.