ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ

ଶିକ୍ଷା ବିଭାଗର ବିଭିନ୍ନ ଯୋଜନାର କଲେ ସମୀକ୍ଷା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ଦିନିକିଆ ରାୟଗଡା ଶିକ୍ଷା ଜିଲ୍ଳା ଗସ୍ତରେ ଆସିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମନୋଜ କୁମାର ପାଢୀ । ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ୫ଟି ଅଧିନସ୍ଥ ଗୋବିନ୍ଦ ଚନ୍ଦ୍ର ଦେବ ଜିସିଡି ଜିଲ୍ଳା ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧାସୁଯୋଗ ବିଷୟରେ ପଚାରି ବୁଝିଥିଲେ । ଅତିରିକ୍ତ ସଚିବ ଶ୍ରୀ ପାଢୀ ଉକ୍ତ ବିଦ୍ୟାଳୟରେ ଅଷ୍ଟମ ଓ ନବମ ଶ୍ରେଣୀ ପାଠ ପଢିଥିବା ବିଷୟରେ ପିଲାଙ୍କୁ କହିବା ସହ ଜୀବନରେ ଜଣେ ଜଣେ ଆଦର୍ଶ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ପିଲାମାନେ ପାଠ ପଢୁଥିବା ସ୍ମାର୍ଟ କ୍ଳାସ ରୁମଗୁଡିକ ବୁଲି ଦେଖିଥିଲେ । ସକାଳେ ପ୍ରଥମେ କୋଲନରା ବ୍ଳକର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ,ଆଦର୍ଶ ବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ଫେରିବା ସମୟରେ ରାୟଗଡା ବ୍ଳକର ବୀରନାରାୟଣପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିଥିଲେ । ବିଦ୍ୟାଳୟ ପରିଦର୍ଶନ ବେଳେ ଅତିରିକ୍ତ ସଚିବ ଏଫଏଲଏନ କାର୍ଯ୍ୟକ୍ରମ, ଗଙ୍ଗାଧର ମେହେର ଶିକ୍ଷାମାନ ବୃଦ୍ଧି ଯୋଜନା, ସାଇକେଲ ଯୋଜନା, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା, ଶିକ୍ଷଣ କାର୍ଯ୍ୟକ୍ରମ,ପୋଷାକ ବଂଟନ, ମୋ ଡାଇରୀ, ପୁସ୍ତକ ଓ ନୋଟବୁକ୍ ବିତରଣ କାର୍ଯ୍ୟକ୍ରମଗୁଡିକର ତଦାରଖ କରିବା ସହ ବିଦ୍ୟାଳୟଗୁଡିକର ଭିତିଭୂମିର ରୂପରେଖ ବିଷୟରେ ଆଲୋଚନା କରିଥିଲେ । ଗତକାଲି ସଂଧ୍ୟାରେ ଜିଲ୍ଳାର ଶିକ୍ଷା ବ୍ୟବସ୍ଥା, ଶିକ୍ଷକଶିକ୍ଷୟତ୍ରୀଙ୍କ ସମସ୍ୟା ସହ ସରକାରଙ୍କ ତରଫରୁ ମିଳୁଥିବା ଅନୁଦାନ ରାଶିଗୁଡିକର ସଠିକ୍ ବିନିଯୋଗ କରିବା ଦିଗରେ ଏକ ସମୀକ୍ଷା ବୈଠକ କରିଥିଲେ । ଆଜି ଜିସିଡି ହାଇସ୍କୁଲ ପରିଦର୍ଶନ ପରେ ଶ୍ରୀ ପାଢୀ ବ୍ରାହ୍ମଣ ସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିବା ସହ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ବୁଲି ଦେଖିବା ପରେ ସେଠାରୁ ସେ ଜୟପୁର ଅଭିମୁଖେ ବାହାରିଥିଲେ । ଅତିରିକ୍ତ ସଚିବଙ୍କ ଗସ୍ତ ସମୟରେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି,ରାୟଗଡା ବିଇଓ ସୁଦୀପ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.