ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ବ୍ଲକ ଅଫିସ ମାନଙ୍କରେ ଚାଲୁଥିବା ବ୍ୟାପକ ପିସି କାରବାର, ଆବାସ ଯୋଜନା ଦୁର୍ନୀତି, ଅହେତୁକ ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କଂପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ତଥା ବିଭିନ୍ନ ପ୍ରସଙ୍ଗ ସମ୍ବଳିତ ଦାବୀପତ୍ର ସୁବର୍ଣ୍ଣପୁର ଜିଲ୍ଲାର ୬ ଗୋଟି ବ୍ଲକରେ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଓ ସହ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ବ୍ଲକର ବିଡିଓଙ୍କୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲା । ସଦର ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଗୌରୀ ଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ସଦର ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ସହ କଂଗ୍ରେସର ପ୍ରମୁଖ ଦାବୀମାନଙ୍କ ମଧ୍ୟରେ ରାଜ୍ୟ ସରକାର ଓଡିଶାରେ ପ୍ରତି ପଂଚାୟତରେ ଘୋଷଣା କରିଥିବା ୫୦ଲକ୍ଷ ଟଙ୍କା ଅନୁଦାନ ସିଧା ସଳଖ ପଂଚାୟତକୁ ଦିଆଯାଉ ଏବଂ ଗ୍ରାମ୍ୟ ସଭା ନିଷ୍ପତ୍ତି ଅନୁଯାୟୀ ଏହି ଅର୍ଥ ଖର୍ଚ୍ଚ କରାଯାଉ, ବେରୋଜଗାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସହ ଖାଲି ପଡିଥିବା ସରକାରୀ ପଦବୀ ଶୀଘ୍ର ପୁରଣ କରାଯାଉ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟର ଦରଦାମ ହ୍ରାସ କରାଯାଉ । କୃଷିଜାତ ଦ୍ରବ୍ୟର ଅଭାବି ବିକ୍ରି ତଥା ଧାନ ମଣ୍ଡିରେ କଟନି, ଛଟନି ଓ ବିଦ୍ୟୁତ ଲୋ ଭୋଲଟେଜ ସମସ୍ୟା ବନ୍ଦ କରିବା ସହ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ସକାଶେ ଅତ୍ୟାଧୁନିକ ଶୀତଳ ଭଣ୍ଡାର ଖୋଳାଯାଉ, ନାରୀ ନିର୍ଯ୍ୟାତନା ବନ୍ଦ ସହ ଅନୁସୂଚିତ ଜାତି ଜନଜାତି ଓ ପଛୁଆ ବର୍ଗଙ୍କ ମୌଳିକ ଅଧିକାର ଯେପରି କ୍ଷୁର୍ଣ୍ଣ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ସମସ୍ତ ବକ୍ତା ନିଜ ବକ୍ତବ୍ୟରେ କହିଥିଲେ। ଏଥିରେ ଜିଲ୍ଲା ପ୍ରଭାରୀ ତଥା ପିସିସି ସମ୍ପାଦକ ଦୁଲାଲ ପ୍ରଧାନ, ବରିଷ୍ଠ ନେତା ମାଧବ କୁମ୍ଭାର, ଜିତେନ୍ଦ୍ର ପଟ୍ଟନାୟକ, ଶେଷଦେବ ମେହେର, ରଞ୍ଜିତ ରାଏ, ସଚିତା ସାହୁ, ଭରତ ଜେନା, ମହେନ୍ଦ୍ର ଦିପ, ଭାଗିରଥି ମିଶ୍ର, ହୃଷୀକେଶ ମିଶ୍ର, କୃଷ୍ଣ ବାଘ୍, ଇମ୍ରାନ ଖାନ, ଶତ୍ରୁଘ୍ନ ଅମାତ ପ୍ରମୁଖ ଧାରଣା ସ୍ଥଳରେ ବସିଥିଲେ।