ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡା ନିକଟରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏଥିରେ ୨୮ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିବା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଆହୁତ ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି । ଗତ ୧୭ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡ଼ା ଗାଁ ନିକଟରେ ନୂଆପଡ଼ା ଓ ମେନପୁର ଡିଭିଜନ ମାଓବାଦୀ ମେଳି ବାନ୍ଧିଥିଲେ । ଏହି ଖବର ନୂଆପଡା ପୁଲିସ ବିଶ୍ବସ୍ତ୍ର ସୂତ୍ରରୁ ଖବର ପାଇଥିଲା । ନୂଆପଡା ଏସପି ଶ୍ରୀ ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡ଼ିଭିଏଫ, କୋବ୍ରା ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗତ ୧୮ ତାରିଖ ଅପରାହ୍ନ ୪ ଟାରେ ଯବାନମାନେ ମାଓ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ଛାତ୍ରଭାଙ୍ଗ ଦେଇଥିଲେ । ସେଠାରେ ଯବାନମାନେ ସର୍ଚ୍ଚ ଅପରେଶନ କରି ୨୮ଟି ଡିଟୋନେଟର, ୧ କେଜି ଲୋ ଏକ୍ସପ୍ଲସିଭ, ଏକେ ୪୭ ବନ୍ଧୁକ ଗୁଳିର ଖୁକା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ । ଏବେ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚାଲୁରହିଥିବା ଏସପି ଶ୍ରୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସିଆରପିଏଫ କମଣ୍ଡେଣ୍ଟ ଏରିକ ଗିଲାବର୍ଟ ଜୋଶ, ଦ୍ବିତୀୟ କମଣ୍ଡେଣ୍ଟ ରତୀନ୍ଦ୍ର ସିଂ ଚଳନା ପ୍ରମୁଖ ଉପସ୍ଥିତ ଥିଲେ ।