ପାଣ୍ଡବମାନଙ୍କ ବନବାସ ସମୟର କଥା। ସେମାନେ କାମ୍ୟକ ବନରେ ନିବାସ କରୁଥାନ୍ତି। ଏମିତି ସମୟରେ ସେଠାରେ ଦିନେ କଳ୍ପଜୀବି ମହର୍ଷି ମାର୍କଣ୍ଡେୟ ପହଞ୍ଚିଲେ। ୠଷି ମାର୍କଣ୍ଡେୟ ଯୁଧିଷ୍ଠିରଙ୍କୁ ମନୁଷ୍ୟର କର୍ତ୍ତବ୍ୟକର୍ମ ବିଷୟକ ଗୋଟିଏ ସୁନ୍ଦର କାହାଣୀ ଶୁଣାଇଲେ। ମାର୍କଣ୍ଡେୟ କହିଲେ, ଅନେକଦିନ ତଳର କଥା। ଜଣେ ଯୁବସନ୍ୟାସୀ ଅରଣ୍ୟକୁ ଯାଇ ଦୀର୍ଘକାଳ ଯାଏ ତପସ୍ୟା କଲେ। ଦିନେ ସେ ଧ୍ୟାନମଗ୍ନ ଥିବା ବେଳେ, ବୃକ୍ଷଉପରେ ବସିଥିବା ଏକ କାକ ତାଙ୍କ ଉପରେ ମଳତ୍ୟାଗ କରିଦେଲା। କ୍ରୋଧିତ ହୋଇ ସେ ଉପରକୁ ଚାହିଁ ଦେବା ମାତ୍ରେ ବିଚରା ବାୟସ ପକ୍ଷୀ ତଳେପଡ଼ି ମରିଗଲା। ସନ୍ନ୍ୟାସୀ ଭାବିଲେ, ବୋଧହୁଏ ତାଙ୍କ ତପସ୍ୟା ସିଦ୍ଧହୋଇଛି। ତାଙ୍କର ମନ ଅହଙ୍କାରରେ ଭରିଗଲା। କିଛିସମୟ ପରେ ସେ ଜଣେ ଗୃହସ୍ଥ ଘରେ ଭିକ୍ଷା ପାଇଁ ପହଞ୍ଚିଲେ। ଗୃହସ୍ଥର ଗୃହିଣୀ ଦ୍ୱାର ଦେଶକୁ ଆସି ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଲେ। କାରଣ ସେ ସେହି ସମୟରେ ତାଙ୍କ ଅସୁସ୍ଥ ସ୍ବାମୀଙ୍କର ସେବା କରୁ ଥିଲେ। ଏଥିରେ ସନ୍ନ୍ୟାସୀ କ୍ରୋଧିତ ହୋଇ କହିଲେ, “ରେ ଦୁଷ୍ଟା ମହିଳା ! ମୋତେ ଅପେକ୍ଷା କରାଇବାକୁ ତୁମ ସାହସ ହେଲା କିପରି? ତୁମେ କଅଣ ମୋର ଶକ୍ତି ଜାଣନାହଁ?” ମହିଳା ଜଣକ କହିଲେ,”ହେ ସନ୍ନ୍ୟାସୀ,ଆପଣ ଏପରି କ୍ରୋଧିତ ହୁଅନ୍ତୁ ନାହିଁ। ମୁଁ ସେ କୁଆ ନୁହେଁ ଯେ, ଆପଣଙ୍କ ଦୃଷ୍ଟିପାତରେ ଜଳିଯିବି।” ସାଧୁଜଣକ ବିସ୍ମିତ ହୋଇ ଭାବିଲେ, ଆରେ ଇଏ ସେ କୁଆ କଥା ଜାଣିଲା କିପରି! ସେ ଗୃହିଣୀକୁ ପଚାରିଲାରୁ, ଗୃହିଣୀ ଜଣକ ଉତ୍ତର ଦେଲେ, ମୁଁ କୌଣସି ତପସ୍ୟା କରିନାହିଁ। କେବଳ ମାତ୍ର ଭକ୍ତି ଓ ନିଷ୍ଠାର ସହ ମୁଁ ନିଜର କର୍ତ୍ତବ୍ୟ କରି ଚାଲିଛି। ଏହାର ସୁପ୍ରଭାବରେ ମୁଁ ଶକ୍ତି ପ୍ରାପ୍ତ ହୋଇଛି ଯେ ମୁଁ ଅନ୍ୟର ମନକଥା ଜାଣିପାରେ। ଧର୍ମ କଅଣ ବୁଝିବାକୁ ହେଲେ ମିଥିଳାରେ ଯାଇ ଧର୍ମବ୍ୟାଧଙ୍କ ସହ ସାକ୍ଷାତକର, ତୁମ ମନର ସକଳ ଭ୍ରାନ୍ତି ଦୂର ହୋଇ ଯିବ। ମିଥିଳାରେ ଯାଇ ଧର୍ମ ବ୍ୟାଧଙ୍କ ନିକଟରେ ପହଞ୍ଚି ସେ ଦେଖିଲେ ବ୍ୟାଧ ପେଶାରେ ଜଣେ କଂସେଇ ଏବଂ ସେ ମାଂସ କାଟିବାରେ ଲାଗିଛି। ବ୍ୟାଧ କହିଲା, ହଁ, ମୁଁ ଜାଣିଥିଲି ତୁମେ ଆସିବ ବୋଲି। ତୁମକୁ ଏକ ମହିଳା ମୋ ପାଖକୁ ଧର୍ମ କଅଣ ଜାଣିବା ପାଇଁ ପଠାଇଛନ୍ତି। ବ୍ୟାଧଙ୍କୁ ସେ ପଚାରିଲେ, ଆପଣ ଧର୍ମାତ୍ମ। ଆପଣ ଧର୍ମର ତତ୍ତ୍ଵ ଜାଣି ଥାଇ ମଧ୍ୟ ଏ କଂସେଇ କାର୍ଯ୍ୟ କାହିଁକି କରୁଛନ୍ତି? ବ୍ୟାଧ ଉତ୍ତର ଦେଲେ:- ହେ ବ୍ରାହ୍ମଣ, ଏହା ମୋର କୌଳିକ ବୃତ୍ତି। ବାପଅଜା ଅମଳରୁ ଏହା ଆମର କୁଳ ବେଉସା। ଏଣୁ ସେହି ବୃତ୍ତିରେ ପ୍ରବୃତ୍ତହୋଇ ଏହି କଂସେଇ କାର୍ଯ୍ୟ ମୁଁ କରୁଛି। ଏହା, ମୋ ପାଇଁ ବିଧି ନିର୍ଦ୍ଦିଷ୍ଟ କାର୍ଯ୍ୟ, ଏଥିରେ ତ ମୁଁ ହିଂସା ଆଚରଣ କରୁନାହିଁ ଏଣୁ ଅଧର୍ମର ପ୍ରଶ୍ନଆସିଲା କୁଆଡୁ। ସନ୍ନ୍ୟାସୀଙ୍କୁ ବ୍ୟାଧ ସର୍ବ ଶେଷରେ କହିଲେ:- କାମ, କ୍ରୋଧ, ଦମ୍ଭ ତଥା ଲୋଭର ବଶ ନ ହୋଇ ନିଜର ନିର୍ଦ୍ଧାରିତ କର୍ମ କରିବା ଉଚିତ। ବିଜ୍ଞ ଓ ବୁଦ୍ଧିମାନ ବ୍ୟକ୍ତି ଏହାକୁ ପରିତ୍ୟାଗ କରି ଥାନ୍ତି। ସେ ପୁଣି କହିଲେ, ସେହି ସ୍ତ୍ରୀ ଲୋକଟି ଉପରେ ତୁମର କ୍ରୋଧିତ ହେବା ଉଚିତ୍ ନ ଥିଲା। କାରଣ ସେ ତା’ର ଧର୍ମ ପାଳନ କରୁଥିଲା। ତୁମେ ତୁମର ଧର୍ମ ପାଳନରେ ବ୍ୟର୍ଥ ହୋଇଛ। କାରଣ ତୁମେ ଗୃହତ୍ୟାଗ କରିବାରୁ ତୁମର ପିତା ମାତା ଶୋକ ଜର୍ଜରିତ ହୋଇ, ଅନ୍ଧ ହୋଇ ଯାଇଛନ୍ତି। ତୁମେ ଏବେ ଘରକୁ ଫେରିଯାଇ ସେମାନଙ୍କ ଯତ୍ନ ନିଅ ଓ ବେଦ ଅଧ୍ୟୟନ କର। ୠଷି ମାର୍କଣ୍ଡେୟ ଶେଷରେ ଯୁଧିଷ୍ଠିରଙ୍କୁ କହିଲେ, ମନରେ ହିଂସାଭାବ ନରଖି ଜଣେ ବ୍ୟାଧ କିପରି କର୍ମ ସହ ଧର୍ମାଚରଣ କରି ଚାଲିଛି, ତାହା ଶିକ୍ଷା ଲାଭ କରି ସନ୍ନ୍ୟାସୀ ଫେରି ଆସିଲେ। ନିଷ୍କାମ ଭାବେ ନିଜର କର୍ମ କରିଯିବା ହିଁ ବିଜ୍ଞତା। ବାସ୍ତବପକ୍ଷେ କୌଣସି କର୍ମ କୁତ୍ସିତ ବା ଅପବିତ୍ର ନୁହେଁ। କର୍ମର ମୂଲ୍ୟ ନିରୂପଣ ଆମର ଭାବନା ଅନୁସାରେ ହିଁ ହୋଇଥାଏ। ସ୍ବାମୀ ବିବେକାନନ୍ଦ ତାଙ୍କ କର୍ମଯୋଗ ଭାଷ୍ୟରେ ଧର୍ମବ୍ୟାଧଙ୍କ ଏହି ଆଖ୍ୟାନ ଉତ୍ଥାପନ କରିଛନ୍ତି। ମହାଭାରତ ବନପର୍ବରେ ଥିବା ଏହି ଉପାଖ୍ୟାନ ବ୍ୟାଧ ଗୀତା ନାମରେ ପ୍ରସିଦ୍ଧ।