ବ୍ଳକସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର; ପ୍ରଚାର ପ୍ରସାର ଅଭାବ, ଫିକା ପଡ଼ିଲା ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ବ୍ଲକ କାର୍ଯ୍ୟାଳୟଠାରେ ସୋମବାର ବ୍ଳକ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଧର୍ମଗଡ଼ ଉପଜିଲ୍ଲାପାଳ ବିରଞ୍ଚିନାରାୟଣ ଦରୱାନ, ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ବିଭାଗ, ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଭଲି ଅନେକ ଗୁରୁତ୍ତ୍ୱପୂର୍ଣ ବିଭାଗର ଅଧିକାରୀମାନେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେସବୁର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ଶିବିରରେ ବ୍ଳକର ୨୨ ଗୋଟି ପଞ୍ଚାୟତରୁ ମାତ୍ର ୩୯ ଜଣ ଲୋକେ ଆସି ଅଭିଯୋଗ ପଞ୍ଜିକରଣ କରିଥିବା ସୂଚନା ମିଳିଛି। ପ୍ରଚାର ପ୍ରସାର ଅଭାବ ଓ ବ୍ଳକ ପ୍ରଶାସନର ଅବହେଳା କାରଣରୁ ଅଳ୍ପ ସଂଖ୍ୟକ ଲୋକେ ଶିବିରରେ ଆସି ନିଜର ଆପତ୍ତି ଅଭିଯୋଗ ଜଣାଇଥିବା ଚର୍ଚ୍ଚା ହେଉଛି। ତେବେ ଅଧିକାରୀ ତୁଳନାରେ ଅଭିଯୋଗକାରୀ କମ୍ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଯେ’ କୌଣସି ସରକାରୀ କାର୍ଯ୍ୟକ୍ରମରେ ବ୍ଳକ ଓ ତହସିଲ କାର୍ଯ୍ୟଳୟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖବର ନ ଦେବାରୁ ବ୍ଲକ ସାମ୍ବାଦିକ ସମୂହ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ବ୍ଳକ ପ୍ରଶାସନର ଏଭଳି ଅବହେଳା ଯୋଗୁଁ ବୁଦ୍ଧିଜୀବୀ, ସାଧାରଣ ଜନତା ଓ ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିଥିବାବେଳେ ଆଗକୁ ପ୍ରଚାର ପ୍ରସାର ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.