ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ‘ମୋ ମାଟି’ ମୋ ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଡିଗ୍ରୀ ମହାବିଦ୍ୟାଳୟ, ଯୁକ୍ତ ଦୁଇ ମହାବିଦ୍ୟାଳୟ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ମାଟି ସଂଗ୍ରହ କରି ଅମୃତ କଳସରେ ଭର୍ତ୍ତି କରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏହା ପରେ କଲେଜ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ମୁଖ୍ୟବକ୍ତା ଭାବେ ଜବାହର ଉଚ୍ଚ ପିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଯୋଗଦେଇ ଥିଲେ। ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରଶନ୍ନ ମେହେର, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରାଣ କିଶୋର ପଣ୍ଡା, ଆର୍ମୀର ପୂର୍ବତନ ସୁବେଦାର ସୁରେଶ ଚନ୍ଦ୍ର ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅଧ୍ୟାପିକା କନକ ମଞ୍ଜରୀ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ ପରାମର୍ଶ ଦାତା ସୁବ୍ରତ କୁମାର ବେହେରା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଘୁମୁରା ପରିବେଶଣ ହୋଇଥିବାବେଳେ ଏହାକୁ ହିରାଲାଲ ସରାଫ ପରିଚାଳନା କରିଥିଲେ। ଯୁବ ନେହେରୁ କେନ୍ଦ୍ରର ସ୍ବେଚ୍ଛାସେବୀ ଓ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ।