ଦେବୀ ଉପାସନାରେ ମୁଖରିତ ରୁପ୍ରାରୋଡ

ଚାରି ଗୋଟି ପୀଠରେ ନବରାତ୍ର, ଚାଲିଛି ଦାଣ୍ଡିଆ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ):  ସାରଦୀୟ ନବରାତ୍ରକୁ ନେଇ ସାରା ଓଡିଶା ଉତ୍ସବ ମୁଖର ହୋଇଉଠିଛି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଓ ପୂଜା ମଣ୍ଡପ ମାନଙ୍କରେ ଆରାଧିତ ହେଉଛନ୍ତି ଜଗତଜନନୀ। ଏହାରି ଭିତରେ ରୁପ୍ରାରୋଡ ବସ୍ତି ମଧ୍ୟ ଆଧ୍ୟାତ୍ମିକତାର ଆଲୋକରେ ଉଜ୍ଜଳ ହୋଇ ଉଠିଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିର ଚାରି ଗୋଟି ସ୍ଥାନରେ ଚାଲିଛି ନବରାତ୍ର ପୂଜା। ଦୁର୍ଗା ମଣ୍ଡପରେ ମୃଣିୟ ପ୍ରତିମା ପୂଜା ପାଉଥିବାବେଳେ ଗାୟତ୍ରୀ ଶକ୍ତି ପୀଠ, ବୈଷ୍ଣବୀ ଧାମ ଓ ଦେବସର ଧାମରେ ମଧ୍ୟ ପାରମ୍ପରିକ ରିତି ନିତି ଅନୁସାରେ ଚାଲିଛି ନବରାତ୍ର ପୂଜା। ସମସ୍ତ ପୀଠର ପୂଜା ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ସ୍ଥାନୀୟ ଦୁର୍ଗା ମଣ୍ଡପରେ ୬୪ତମ ନବରାତ୍ର ପାଳିତ ହେଉଛି। ରୁପ୍ରାରୋଡ ଦୁର୍ଗା ପୂଜା କମିଟି ସଭାପତି ରାଧେଶ୍ୟାମ ଖେତାନଙ୍କ ତତ୍ବାବଧାନରେ କମିଟିର ଅଶୋକ କମାନୀ, ପୁଷ୍ପକ ମହାନ୍ତି, ଭାରତୀ ମହାନ୍ତି, ଧିରେନ୍ଦ୍ର ଖେତାନ, ଅନିଲ ଅଗ୍ରୱାଲ, ଦିନରାଜ ଅଗ୍ରୱାଲ, ରତନ ଅଗ୍ରୱାଲ, ଦିପକ ମହାନ୍ତି, ଅନିଲ କୁମାର ଅଗ୍ରୱାଲ, ରୁପେ ଅଗ୍ରୱାଲ, ଅମିତ ଶର୍ମା, ନିରଜ ଶର୍ମା ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ବିଜୟ ଅଗ୍ରୱାଲ ଥିବାବେଳେ ମୁଖ୍ୟ ପୂଜକ ସୁରେନ୍ଦ୍ର ପ୍ରସାଦ ଶର୍ମା ଏବଂ ଦୁଇ ଜଣ ସହଯୋଗୀ ପୂଜକ ରହିଛନ୍ତି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି।

ଗାୟତ୍ରୀ ଶକ୍ତିପୀଠରେ ପ୍ରତ୍ୟହ ସକାଳ ୬ରୁ ୭ଟା ପର୍ଯ୍ୟନ୍ତ ଯଜ୍ଞ ହେଉଛି। ଏହାସହ ଅଖଣ୍ଡ ଦୀପ ଜଳିବା ସହ ନବରାତ୍ରର ସମସ୍ତ ବିଧାନ ବିଧି ମୁତାବକ ଅନୁଷ୍ଠିତ ହେଉଛି। ସେହିପରି ଭାବେ ରୁପ୍ରାରୋଡ ହାଡୋଦିଆ ପରିବାରର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି ବୈଷ୍ଣବୀ ଧାମର ନବରାତ୍ର। ଏଠାରେ ପ୍ରତିଦିନ ସନ୍ଧ୍ୟା ୬.୩୦ରେ ଆଳତୀ ହେଉଥିବାବେଳେ ରାତି ୮ରୁ ୯ଟା ପର୍ଯ୍ୟନ୍ତ ଆୟୋଜିତ ହେଉଛି ଦାଣ୍ଡିଆ ନୃତ୍ୟ। 

ଚଳିତ ବର୍ଷ ପ୍ରତିଷ୍ଠା ହୋଇଥିବା ଦେବସର ଧାମରେ ମଧ୍ୟ ବେଶ୍ ଧୁମଧାମରେ ଚାଲିଛି ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା। ଏଠାରେ ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଭଣ୍ଡାରାର ଆୟୋଜନ କରାଯାଇଛି। ସନ୍ଧ୍ୟା ୬ ଆଳତି ସମୟରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ୨୨ ତାରିଖରେ ରୋସନୀ ଗୁପ୍ତା, କୁମାର ସନୀ, କୁମାର ବିଜୟଙ୍କ ପରି ବିଖ୍ୟାତ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିଛି। ଏହି ନବରାତ୍ରରେ ସମସ୍ତେ ଯୋଗଦେଇ ଜଗତଜନନୀଙ୍କ ଆଶିଷ ଲାଭ କରିବାକୁ ନିବେଦନ କରିଛନ୍ତି ଦେବସର ଧାମ ଦୁର୍ଗା ମନ୍ଦିର ସମିତିର ଅଧ୍ୟକ୍ଷ ଗୋବିନ୍ଦ ରାମ ଅଗ୍ରୱାଲ, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସଚିବ ପ୍ରଦୀପ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ଦିନେଶ ଅଗ୍ରୱାଲ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.