କ୍ରମାଗତ ଅର୍ଦ୍ଧଶତକ ହାସଲରେ ରିୟାନ ପରାଗଙ୍କ ବିଶ୍ୱ ରେକର୍ଡ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ରିୟାନ ପରାଗ କ୍ରମାଗତ ଟି୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫିରେ ସେ କ୍ରମାଗତ ୬ ଅର୍ଦ୍ଧଶତକ ମାରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଓଡିଶା ବିପକ୍ଷରେ ସେ ୪୫ ରନ କରି ଆଉଟ ହୋଇ ଯାଇଥିଲେ । ଅନ୍ୟଥା ଏହି ସଂଖ୍ୟା ୭ରେ ପଂହଚିଥାନ୍ତି । ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ, ଡେଭିଡ ୱାର୍ଣ୍ଣର, ଡେଭନ କନୱେ, ହାମିଲଟନ ମାସକାଜା, କମରାନ ଆକମଲ ଓ ଜୋସ ବଟଲର ଟି୨୦ରେ କ୍ରମାଗତ ୫ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ସମସ୍ତ ଖେଳାଳିଙ୍କୁ ପରାଗ ପଛରେ ପକାଇ ଦେଇଛନ୍ତି । ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ପରାଗ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ବିଶ୍ୱକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରଜ ଖେଳିବାକୁ ଯାଉଛି । ପରାଗଙ୍କ ପ୍ରଦର୍ଶନ ନିଶ୍ଚିତ ଭାବେ ଚୟନ କମିଟିକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ଏହା ପରେ ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ବିଶ୍ୱକପ ଦଳର ସଦସ୍ୟ ହେବା ପାଇଁ ପରାଗ ଯଥାସମ୍ଭବ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି । ସେ ୬୧, ୭୬, ୫୩, ୭୬, ୭୨ ଓ ୫୭ ରନ ସଂଗ୍ରହ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.