ଚିଆଁପଦରଠାରେ ବଇଗା ସଂପ୍ରଦାୟର କରମସାନୀ ପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଚିଆଁପଦର ଗ୍ରାମ ଠାରେ ବଇଗା ଜନଜାତିର ମହାନ ପର୍ବ କରମସାନୀ ଯାତ୍ରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ସମାପନ ହୋଇଯାଇଛି। ନୂଆଖାଇ ବାସୀଠାରୁ ଅଶ୍ବିନ ଶୁକ୍ଳ ପକ୍ଷ ତ୍ରୟୋଦଶୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ବ୍ୟାପି ଆୟୋଜିତ ଉକ୍ତ ପୂଜା ପାରମ୍ପରିକ ରିତି ନିତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ, ବଇଗା ସଂପ୍ରଦାୟ ଓଡ଼ିଶାର ଏକ ବିରଳ ଜନଜାତି। ଏମାନେ ଆଦିବାସୀ କନ୍ଧ ମାନଙ୍କ ଭାଟ। ବଇଗା ଜନଜାତି ଏକ କଳାକାର ଗୋଷ୍ଠୀ, ଏମାନଙ୍କ ଏକ ବିସ୍ତୃତ ସାଂସ୍କୃତିକ ବିଭବ ରହିଛି। ଏମାନେ ଏକ ଶାନ୍ତିପୂର୍ଣ୍ଣ ଜାତି। ବିନମ୍ରତା ଗୁଣ ବଇଗା ଜାତିକୁ ମହାନ କରି ଗଢ଼ି ତୋଲିଛି। ତେବେ ନିରକ୍ଷରତା କାରଣରୁ ଏମାନେ ବର୍ତ୍ତମାନ ସୁଦ୍ଧା ଅବହେଳିତ ହୋଇ ରହିଛନ୍ତି। ତେବେ ବଇଗା ସଂପ୍ରଦାୟର କଳାହାଣ୍ଡି ଜିଲ୍ଲା ସଭାପତି ବିଦେଶୀ ପ୍ରଗଣିଆ, ଜିଲ୍ଲା ସାଧାରଣ ସମ୍ପାଦକ ନରେନ୍ଦ୍ର ପ୍ରଗଣିଆ, ବଇଗା ଜନଜାତିର ନେତୃ ସ୍ଥାନୀୟ ବ୍ୟକ୍ତି ସଦନ ପ୍ରଗଣିଆ, ବଇଗା ଜାତିର ନର୍ଲା ବ୍ଲକ ସଭାପତି ସାଧୁ ପ୍ରଗଣିଆ, ବ୍ଲକ ସାଧାରଣ ସମ୍ପାଦକ ଅଶ୍ବିନ ପ୍ରଗଣିଆ, କୋଷାଧ୍ୟକ୍ଷ ରାମେଶ୍ବର ପ୍ରଗଣିଆ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିଆଁପଦର ଗ୍ରାମରେ କରମସାନୀ ଯାତ୍ରା ଧୁମଧାମରେ ପାଳିତ ହୋଇଥିଲା। ଏଥିରେ ଧରଣୀ ସ୍ଥାପନ, ଟୋଲବ୍ରାହ୍ମଣୀ ଡଙ୍ଗରରୁ ରଏନ ଗଛ ଆଣି ପୂଜା ମଣ୍ଡପରେ ସ୍ଥାପନ, ବିଭିନ୍ନ ଦେବାଦେବୀ ଆବାହନ ଆଦି ଅନୁଷ୍ଠିତ ହୋଇଥିଲା। ଦେବାଦେବୀମାନେ ବିଭିନ୍ନ ଲୋକଙ୍କ ଶରୀରରେ ପ୍ରକଟ ହୋଇ ଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ଶୁକ୍ଲ ଭୋଗ ଲାଗି ହୋଇଥିଲା। ବଇଗା ଜନଜାତିର ମହିଳା ଓ ପୁରୁଷମାନେ କରମା ଗୀତ ଗାନକରି ମାନ୍ଦଲ୍ ର ତାଳେତାଳେ ନୃତ୍ୟ କରିଥିଲେ। ସଦା ପ୍ରଗଣିଆ ଓ ଭିକାରୀ ପ୍ରଗଣିଆ ପୂଜକ ଏବଂ ଟିକେପିଲା ପ୍ରଗଣିଆ ଜାନୀ ଦାଇତ୍ୱ ନିର୍ବାହ କରିଥିଲେ। ପ୍ରଦୀପ ପ୍ରଗଣିଆ, ଇନ୍ଦ୍ର ପ୍ରଗଣିଆ, ବୈଳୁଚନ ପ୍ରଗଣିଆ, ବଳଦେବ ପ୍ରଗଣିଆ ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ବିଦେଶୀ ପ୍ରଗଣିଆ ବଇଗା ସାଂସ୍କୃତିକ ଭବନ ସହ ଚିଆଁପଦର ଗ୍ରାମରେ ବଇଗା ମଣ୍ଡପ ନିର୍ମାଣ ପାଇଁ ଦାବି କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.