ଓଡ଼ିଆ ଆଇପିଏସ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ ଜମ୍ମୁ ଓ କଶ୍ମୀରର ଡିଜିପି ଦାୟିତ୍ୱ

ଓଡ଼ିଆ ବାର୍ତ୍ତା/ ଜମ୍ମୁ: ଜମ୍ମୁ କଶ୍ମୀରର ଭାରପ୍ରାପ୍ତ ଡିଜିପି ଦାୟିତ୍ବ ତୁଲାଇବେ ଓଡ଼ିଆ ଆଇପିଏସ ରଶ୍ମିରଞ୍ଜନ ସ୍ୱାଇଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜମ୍ମୁ ଓ କଶ୍ମୀର ସିଆଇଡି (CID)ର ସ୍ପେଶାଲ ଡିଜି ଅଛନ୍ତି ୧୯୯୧ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ଆର. ଆର ସ୍ୱାଇଁ। ଜଣେ ସଚ୍ଚୋଟ ଅଧିକାରୀ ଭାବେ ପରିଚିତ ଶ୍ରୀ ସ୍ୱାଇଁ ନିଜ ଦକ୍ଷତା ଓ ସଫଳତା ପାଇଁ ପରିଚିତ। ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ସିଆଇଡି ଡିଜି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସ୍ୱାଇଁ ନଭେମ୍ବର ୧ ତାରିଖରୁ ତାଙ୍କ ଦାୟିତ୍ୱ ସହ ଜମ୍ମୁ ଓ କଶ୍ମୀରର ଭାରପ୍ରାପ୍ତ ଡିଜି ପୁଲିସ ଭାବେ କାର୍ଯ୍ୟ କରିବେ । ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ ହେବ। ଶ୍ରୀ ସ୍ୱାଇଁଙ୍କ ପୈତୃକ ଘର ରାଉରକେଲାରେ। ସେ ସିଭିଲ୍‍ କଲୋନୀ ଅଞ୍ଚଳର ବାସିନ୍ଦା। ବର୍ତ୍ତମାନର ଜମ୍ମୁ ଓ କଶ୍ମୀର ଡିଜି ପୋଲିସ ଦିଲ୍‍ବାଗ୍‍ ସିଂହଙ୍କଠାରୁ ଦାୟିତ୍ୱଗ୍ରହଣ କରିବେ। ଅକ୍ଟୋବର ୩୧ ତାରିଖରେ ଶ୍ରୀ ସିଂହ ଅବସର ନେବେ। ଖବର ଅନୁଯାୟୀ, ସେ ଉଭୟ ଜମ୍ମୁ ଓ କଶ୍ମୀରର ଏସ୍‍ଏସ୍‍ପି ଭାବେ କାର୍ଯ୍ୟ କରିଛନ୍ତି। ଯେତେବେଳେ ଆତଙ୍କବାଦ ଜମ୍ମୁ ଓ କଶ୍ମୀରରେ ସୀମା ଲଙ୍ଘିଥିଲା ସେ ସେତେବେଳେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ନିର୍ବାହ କରିଥିଲେ। ଏହା ସହ ସେ ଲେହ, ପୁଞ୍ଚ ଓ ରାମବାନ୍‍ରେ ମଧ୍ୟ ଏସ୍‍ଏସ୍‍ପି ଭାବେ କାର୍ଯ୍ୟ କରିଛନ୍ତି। ଏହାପରେ ସେ କେନ୍ଦ୍ରୀୟ ଡେପୁଟେସନ୍‍ରେ ଯିବା ସହ ବିଦେଶରେ ଭାରତର ମିଶନକୁ ସଫଳତାର ସହ କାକାର୍ଯ୍ୟକାରୀ କରିଛନ୍ତି। ଜମ୍ମୁ ଓ କଶ୍ମୀରରେ ରାଜ୍ୟ ଗୁଇନ୍ଦା ସଂସ୍ଥା (ଏସ୍‍ଆଇଏ) ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱ ଯଥେଷ୍ଟ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.