ଏନସିପି ବିଧାୟକଙ୍କ ଘର ଜାଳି ଦେଲେ ବିକ୍ଷୋଭକାରୀ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମହାରାଷ୍ଟ୍ରରେ ତେଜିଲା ମରାଠା ସଂରକ୍ଷଣ ନିଆଁ। ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେଇଛି। ଏନସିପି ବିଧାୟକଙ୍କ ଘର ଜାଳିଲେ ବିକ୍ଷୋଭକାରୀ। ବିଡ୍ ମାଜଲଗାଓଁରେ ବିଧାୟକ ପ୍ରକାଶ ସୋଲଙ୍କୀଙ୍କ ଘର ଓ ଅଫିସ ଉପରକୁ ପଥର ମାଡ଼ କରିବା ସହ ଘର ଜାଳିଦେଲେ ଆନ୍ଦୋଳନକାରୀ। ମରାଠା ସଂରକ୍ଷଣ ଆନ୍ଦୋଳନକାରୀଙ୍କ ଆକ୍ରମଣ କରିବା ସମୟରେ ବିଧାୟକ ପ୍ରକାଶ ସୋଲଙ୍କୀ ନିଜ ପରିବାର ସହ ଘର ଭିତରେ ଥିଲେ। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ପରିବାରର କୌଣସି ସଦସ୍ୟ କିମ୍ବା କର୍ମଚାରୀ ଆହତ ହୋଇନଥିବା ସୂଚନା ଦେଇଛନ୍ତି ବିଧାୟକ। ବିଧାୟକ ପ୍ରକାଶ ସୋଲାଙ୍କୀ କହିଛନ୍ତି ଯେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି। କିଛି ଦିନ ପୂର୍ବରୁ ପ୍ରକାଶ ସୋଲଙ୍କୀଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ମରାଠା ସଂରକ୍ଷଣ ଦାବି କରୁଥିବା ନେତା ମନୋଜ ଜାରଙ୍ଗେଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ପ୍ରକାଶଙ୍କ ଘର ଉପରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଏହି ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ମନୋଜ ଜାରଙ୍ଗେ ପାଟିଲ ଧ୍ୟାନ ଦେବା ଉଚିତ ଯେ ଏହି ପ୍ରତିବାଦ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛି। ଏହା ଭୁଲ ଦିଗରେ ଯାଉଛି। ମରାଠା ସମ୍ପ୍ରଦାୟକୁ ସ୍ଥାୟୀ ସଂରକ୍ଷଣ ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଶ୍ଚିତ କରିଛନ୍ତି। ସୂଚନାଥାଉକି, କିଛିଦିନ ହେବ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ପ୍ରସଙ୍ଗ ବଢିବାରେ ଲାଗିଛି। ମରାଠା ସମ୍ପ୍ରଦାୟର ଲୋକମାନେ ଦାବି କରିଛନ୍ତି ଯେ ପଛୁଆ ଜାତିର ଲୋକମାନେ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସମାନ ସଂରକ୍ଷଣ ପାଇବା ଉଚିତ୍। ସୂଚନାଯୋଗ୍ୟ ଯେ ମରାଠା ସଂରକ୍ଷଣ ଦାବି କରୁଥିବା ସର୍ବଶେଷ ଆନ୍ଦୋଳନ ମରାଠା ମୋର୍ଚ୍ଚା ସଂଯୋଜକ ମନୋଜ ଜାରଙ୍ଗେଙ୍କ ନେତୃତ୍ୱରେ ଚାଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.