କ୍ଷେତ୍ର-କ୍ଷେତ୍ରଜ୍ଞ-ବିଭାଗ–ଯୋଗଃ-କଥାଯଜ୍ଞ ଆଲୋଚନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବରର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କର ସଞ୍ଚାଳନା ଏବଂ ପୌରହିତ୍ୟରେ, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ କଥାଯଜ୍ଞ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ପ୍ରଶାନ୍ତ କୁମାର ରାଉଳ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ କରିଥିବା ବେଳେ ଯାଜପୁରରୁ ସୁସାହିତ୍ୟିକା ବିନୋଦିନୀ ଦାଶ ଅତି ସୁନ୍ଦର ଭାବରେ ଅନୁଷ୍ଟପ୍ ଛନ୍ଦରେ ତ୍ରୟୋଦଶ ଅଧ୍ୟାୟର ଶ୍ଲୋକ ପାରାୟଣ କରିଥିଲେ ।ସାନ୍ଧ୍ୟ ସତସଙ୍ଗରେ ଓଡ଼ିଶାର ବିଶିଷ୍ଟ କଥାବାଚକ ତଥା ନିଖିଳ ଉତ୍କଳ ପ୍ରବକ୍ତା ପରିଷଦର ବଲାଙ୍ଗୀରର ସମ୍ପାଦକ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ମହୋଦୟ ଅଧ୍ୟାୟର ସାରଗର୍ଭକ ଆଲୋଚନା କରିଥିଲେ ।
ଶ୍ରୀଭଗବାନ ଉବାଚରୁ ତ୍ରୟୋଦଶ ଅଧ୍ୟାୟ ଆରମ୍ଭ ହୋଇଥିଲା ।
ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ ।
ଏତଦ୍ ଯୋ ବେତ୍ତି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍ ବିଦଃ ।।
ଶ୍ରୀଭଗବାନ୍ କହିଲେ- ହେ ଅର୍ଜୁନ ଏହି ଶରୀରକୁ କ୍ଷେତ୍ର କୁହାଯାଏ, ଏହାକୁ ଯିଏ ଜାଣେ ତତ୍ତ୍ବଜ୍ଞ ମାନେ ତାକୁ କ୍ଷେତ୍ରଜ୍ଞ ବୋଲି କହନ୍ତି । ସବୁ କ୍ଷେତ୍ରରେ ମୁଁ କ୍ଷେତ୍ରଜ୍ଞ ଭାବେ ଅବସ୍ଥିତ । କ୍ଷେତ୍ର ଓ କ୍ଷେତ୍ରଜ୍ଞ ବିଷୟକ ଜ୍ଞାନ ପ୍ରକୃତ ଜ୍ଞାନ ବୋଲି ମୋର ମତ । ସେହି କ୍ଷେତ୍ର ଯାହା ସଦୃଶ, ଯେପରି ବିକାରଶୀଳ,ଯେଉଁ କାରଣରୁ ଯେପରି ହୋଇଛି ଓ କ୍ଷେତ୍ରଜ୍ଞଙ୍କ ପ୍ରଭାବ କିପରି ତାହା ସଂକ୍ଷେପରେ ଶୁଣ ।ଋଷିମାନେ ବିଭିନ୍ନ ଛନ୍ଦରେ(ବେଦରେ) ପୃଥକ ଭାବରେ ବ୍ୟାଖ୍ୟା କରିଛନ୍ତି । ବ୍ରହ୍ମସୂତ୍ର ଗ୍ରନ୍ଥରେ ଯୁକ୍ତିଯୁକ୍ତ ପଦରେ ନିଶ୍ଚିତ ରୂପେ ଏହାର ତତ୍ତ୍ୱ ବର୍ଣ୍ଣିତ ହୋଇଛି ବୋଲି ଭଗବାନଙ୍କ କଥାକୁ ପଣ୍ଡିତ ଶ୍ରୀ ଦାଶ ବ୍ୟାଖ୍ୟା ରଖିଥିଲେ।
ଏଭଳି ଭାବରେ ଭଗବାନଙ୍କର ଦିବ୍ୟ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ ସତସଙ୍ଗ ଗୀତାମୃତ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି ସତସଙ୍ଗୀମାନେ ତଥା ବିଜ୍ଞ ଶ୍ରଦ୍ଧାଳୁମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରାନ୍ତରରୁ ୪୫ରୁ ଉର୍ଦ୍ଧ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପଣ୍ଡିତ ଶ୍ୟାମସୁନ୍ଦର ଦାଶ ଓ ପଣ୍ଡିତ ଭାବଗ୍ରାହୀ ମିଶ୍ର ମହୋଦୟ ଖୁବ୍ ସୁନ୍ଦର ଭାବରେ ପ୍ରଭୁଙ୍କର ଦିବ୍ୟରୂପ ସମ୍ବନ୍ଧରେ ଆଲୋଚନା ରଖିଥିଲେ । ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର କଥାବ୍ୟାସ ଶ୍ୟାମସୁନ୍ଦର ଦାଶଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ସାହିତ୍ୟିକ କବି ବନ୍ଧୁ ପରିବାରର ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ସୁଶିକ୍ଷାବିତ୍ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ବିରତି ଭାଷଣ ସହ ଅନୁମତି କ୍ରମେ ସଭାସାଙ୍ଗ ହୋଇଥିଲା।