ମାନବୋଚିତ ସେବାରେ ରେଡ଼କ୍ରସ

(ବିଶ୍ଵ ରେଡ଼କ୍ରସ ଦିବସ ଉପଲକ୍ଷେ)

ରେଡ଼କ୍ରସ ହେଉଛି ବିଶ୍ଵର ସର୍ବଶ୍ରେଷ୍ଠ ମାନବୀୟ ସ୍ଵେଚ୍ଛାସେବୀ ସଂଗଠନ | ସବୁ ଦେଶରେ ଏହି ସଂଗଠନର କାର୍ଯ୍ୟାଳୟ ଅଛି ଓ ଏହାର ସଭ୍ୟମାନେ ସକ୍ରିୟ ରହି ମାନବସେବାରେ ବ୍ରତୀ ଅଛନ୍ତି | ବନ୍ୟା, ବାତ୍ୟା, ମରୁଡି, ଭୂମିକମ୍ପ, ସୁନାମୀ, ଘରପୋଡି, ଦୁର୍ଘଟଣା ଆଦି ବିଭିନ୍ନ ପ୍ରାକୃତିକ ଓ ମାନବୀୟ ବିପର୍ଯ୍ୟୟ ସମୟରେ ଏହି ସଂଗଠନର ସ୍ଵେଚ୍ଛାସେବୀମାନେ ପହଞ୍ଚି ସ୍ଵତଃ ଆହତ , ବିପନ୍ନ ଓ ଅସହାୟମାନଙ୍କ ସେବାକାର୍ଯ୍ୟ କରିଥାନ୍ତି | ଏହି ଆନ୍ତର୍ଜାତୀୟ ସଂଗଠନ ୧୮୬୩ ମସିହାରେ ସ୍ୱିଜରଲ୍ୟାଣ୍ଡର ଜଣେ ବ୍ୟବସାୟୀ ସାର୍ ଜନ୍ ହେନରୀ ଡୁନାଣ୍ଟଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା | ଡୁନାଣ୍ଟ ୧୮୨୮ ମସିହା ମଇ ମାସ ୮ ତାରିଖରେ ସ୍ୱିଜରଲ୍ୟାଣ୍ଡର ଜେନେଭା ସହରରେ ଜନ୍ମ ହୋଇଥିଲେ | ତାଙ୍କର ପିତା ଜିନ୍ ଜାକ୍ସ୍ ଡୁନାଣ୍ଟ ଥିଲେ ଜଣେ ଧନୀ ବ୍ୟବସାୟୀ ଓ ମାତା ଆଣ୍ଟୋନେଟ ଡୁନାଣ୍ଟ କୋଲାଡନ ଥିଲେ ଧର୍ମପ୍ରାଣା ମହିଳା | ପିତା ଅନାଥ ଓ ଅସହାୟମାନଙ୍କୁ ସାହାଯ୍ୟ କରୁଥିଲେ ଓ ମାତା ଦୁସ୍ଥ ଓ ଦରିଦ୍ରମାନଙ୍କ ସେବାରେ ନିୟୋଜିତ ଥିଲେ | ପିତାମାତାଙ୍କର ପ୍ରଥମ ସନ୍ତାନ ଭାବେ ହେନେରୀ ଡୁନାଣ୍ଟ ପିଲାଦିନୁ ସେମାନଙ୍କ ମହନୀୟ ସମାଜସେବା କାର୍ଯ୍ୟଦ୍ୱାରା ଅନୁପ୍ରାଣିତ ହୋଇଥିଲେ | ମାତାଙ୍କ ଠାରୁ ଅନାଥ ପିଲାଙ୍କ ଦୁଃଖ ଯନ୍ତ୍ରଣାର କାହାଣୀ ଶୁଣି ସେ ମ୍ରିୟମାଣ ହୋଇ ପଡୁଥିଲେ | ଦୁର୍ଗତମାନଙ୍କ ଯନ୍ତ୍ରଣା ଲାଘବ କରିବା ପାଇଁ ସେ ପିଲାଟି ଦିନରୁ ଥିଲେ ସଂକଳ୍ପବଦ୍ଧ | ୧୮୫୯ ମସିହାରେ ସଂଘଟିତ ସଲଫେରିନୋ ଯୁଦ୍ଧର ଅନୁଭୂତି ତାଙ୍କ ଜୀବନର ଗତିପଥ ବଦଳେଇ ଦେଲା ସ୍ଵେଚ୍ଛାସେବୀମାନଙ୍କୁ ସଂଗ୍ରହ କରି ସେଇ ଯୁଦ୍ଧରେ ଆହତ ସୈନ୍ୟମାନଙ୍କ ସେବାରେ ମନପ୍ରାଣ ଦେଇ ଲାଗି ପଡିଲେ ସେ | ଯୁଦ୍ଧର ଲୋମହର୍ଷଣକାରୀ ଅନୁଭୂତିକୁ ବର୍ଣ୍ଣନା କରି ସେ ଏକ ପୁସ୍ତକ ୧୮୬୨ ରେ ପ୍ରକାଶ କଲେ , ଯାହାର ନାମ ଥିଲା ‘ସଲଫେରିନୋର ସ୍ମୃତି | ୧୮୬୩ ମସିହାରେ ରେଡ଼କ୍ରସ ପ୍ରତିଷ୍ଠା ହେଲା ପରେ ପ୍ରଥମ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହାର ଚିହ୍ନ ଗୃହୀତ ହେଲା | ମହନୀୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୯୦୧ ମସିହାରେ ଡୁନାଣ୍ଟ ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ଲାଭ କରିଥିଲେ | ୧୯୨୦ ମସିହାରେ ଭାରତୀୟ ରେଡ଼କ୍ରସ ସୋସାଇଟି ସ୍ଥାପିତ ହେଲା |

ରେଡ଼କ୍ରସର ୭ଟି ମୌଳିକ ନୀତି ରହିଛି ; ଯଥା- ମାନବିକତା, ସମଦର୍ଶିତା, ନିରପେକ୍ଷତା, ସ୍ଵାଧୀନତା , ସ୍ଵେଛାକୃତ ସେବା, ଏକତା ଓ ବିଶ୍ଵବ୍ୟାପକତା | କୌଣସି ବିଭେଦ ନରଖି ଆହତ ମାନଙ୍କ ସେବାକରିବା, ମାନବୀୟ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଆଗଭର ହେବା ସହିତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ଆତ୍ମସମ୍ମାନ ବଜାୟ ରଖିବା ଓ ପାରସ୍ପରିକ ବୁଝାମଣା, ବନ୍ଧୁତ୍ଵ, ସହଯୋଗ ଓ ନିରନ୍ତର ଶାନ୍ତିପୂର୍ଣ ସହାବସ୍ଥାନକୁ ରେଡ଼କ୍ରସ ପ୍ରୋତ୍ସାହିତ କରେ । ଜାତି, ବର୍ଣ୍ଣ , ଧର୍ମ ,ଜାତୀୟତା ଓ ରାଜନୈତିକ ମତବାଦ ଭିତ୍ତିରେ ଏହା କୌଣସି ଭେଦଭାବ ରଖେ ନାହିଁ | ଏହା ମଧ୍ୟ କୌଣସି ରାଜନୈତିକ ,ଜାତିଗତ ,ଧାର୍ମିକ କିମ୍ବା ଆଦର୍ଶ ଭିତ୍ତିକ ବାଦ-ବିବାଦର ପକ୍ଷଭୁକ୍ତ ହୁଏ ନାହିଁ | ସ୍ଵାଧୀନ ଭାବେ ନିଜ କର୍ମ କରିବା ସହ ମାନବିକ ସେବା ପ୍ରକ୍ରିୟାରେ ସହାୟକ ହେବା ପାଇଁ ଏହା ପ୍ରୋତ୍ସାହିତ କରିଥାଏ | ଆବଶ୍ୟକତା ଅନୁଯାୟୀ ରେଡ଼କ୍ରସ ସର୍ବଦା ବ୍ୟକ୍ତିଗତ ସ୍ଵାର୍ଥର ଊର୍ଦ୍ଧ୍ଵରେ ରହି କର୍ମ କରିଥାଏ |

ବର୍ଷ ତମାମ ରେଡ଼କ୍ରସ ଅନେକ କାର୍ଯ୍ୟ କରିଥାଏ | ରକ୍ତ ଭଣ୍ଡାର ପାଇଁ ଦୈନନ୍ଦିନ ଆବଶ୍ୟକ ହେଉଥିବା ରକ୍ତ ସଂଗ୍ରହ ନିମନ୍ତେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜନ କରିବା ସହ ଜନସାଧାରଣଙ୍କୁ ସ୍ଵ-ଇଚ୍ଛାରେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ପ୍ରୋତ୍ସାହିତ କରିଥାଏ | ମହାବିଦ୍ୟାଳୟ ତଥା ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଯୁବ ରେଡ଼କ୍ରସ ଓ ଜୁନିଅର ରେଡ଼କ୍ରସ ଶାଖାମାନ ସ୍ଥାପନ କରି ଏହାର ନୀତି ଆଦର୍ଶର ପ୍ରସାର କରିବା ସହିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର-ଛାତ୍ରୀମାନଙ୍କୁ ସୁ-ନାଗରିକ ଭାବେ ଗଢି ତୋଳିବାରେ ସହାୟକ ହୋଇଥାଏ | ଦୁର୍ଘଟଣାଗ୍ରସ୍ଥ ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ନିରାପଦରେ ଡାକ୍ତରଖାନାରେ ପହଞ୍ଚାଇବା ସକାଶେ ସ୍ଵେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥାଏ | ଦୁର୍ଘଟଣାଗ୍ରସ୍ଥ ତଥା ରୋଗୀଙ୍କ ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଗୁଡ଼ିକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଥାଏ |ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ଓ ପ୍ରସ୍ତୁତି ପାଇଁ ସର୍ବଦା ସଜାଗ ରହିବାକୁ ସ୍ଵେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରିଥାଏ | ଶିକ୍ଷାନୁଷ୍ଠାନ ମାନଙ୍କରେ ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି କରିବା ସହ ସଡ଼କ ସୁରକ୍ଷା ସପ୍ତାହ ପାଳନ, ଅଗ୍ନି ନିରାପତ୍ତା , ଏଡ଼ସ ନିରାକରଣ, ମେଲେରିଆ ,ଡେଙ୍ଗୁ ,କର୍କଟ ଆଦି ରୋଗରୁ ରକ୍ଷା ପାଇବା ନିମନ୍ତେ ଜନ ସଚେତନତା ସୃଷ୍ଟି କରାଯାଇ ସେହି ସମ୍ପର୍କିତ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଦିବସମାନ ପାଳନ କରାଯାଇ ଛାତ୍ର-ଛାତ୍ରୀମାନଙ୍କ ହୃଦୟରେ ସମାଜ ସେବାର ସମର୍ପଣ ଭାବନା ସୃଷ୍ଟି କରାଯାଏ |

ରେଡ଼କ୍ରସର ପ୍ରତିଷ୍ଠାତା ତଥା ନୋବେଲ ଶାନ୍ତି ପୁରସ୍କାରର ପ୍ରଥମ ବିଜେତା ସାର୍ ଜନ୍ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସକୁ ବିଶ୍ଵ ରେଡ଼କ୍ରସ ଦିବସ ଭାବେ ପ୍ରତିବର୍ଷ ମେ ମାସ ଆଠ ତାରିଖରେ ସାରା ବିଶ୍ଵରେ ପାଳନ କରାଯାଏ | ସାଧାରଣ ମାନବିକତା ପ୍ରତି ଆମର ଅଦମ୍ୟ ପ୍ରତିବଦ୍ଧତାକୁ ପୁନଃ ଜାଗ୍ରତ ଓ ପ୍ରମାଣିତ କରିବା ତଥା ରେଡ଼କ୍ରସର ମୌଳିକ ନୀତିକୁ ପ୍ରତ୍ୟେକଙ୍କ ଜୀବନରେ ପ୍ରତିଫଳିତ କରିବା ପାଇଁ ଆଜି ଏ ଦିନଟି ଆଣିଦିଏ ଅପୂର୍ବ ସୁଯୋଗ |ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ମାନବ ଜୀବନ ଓ ସ୍ଵାସ୍ଥ୍ୟ ରକ୍ଷା କରିବା | ବିଶ୍ୱ ରେଡକ୍ରସ୍ ଏବଂ ରେଡକ୍ରିସେଣ୍ଟ ଦିବସ ୨୦୨୬ର ବିଷୟବସ୍ତୁ ହେଉଛି “ମାନବିକତା ପାଇଁ ଏକତା”। ଚଳିତ ବର୍ଷ ଏହି ଦିଵସ ପାଳନର ଲକ୍ଷ୍ୟ ହେଉଛି ବିଶ୍ୱସ୍ତରରେ ଦେଖାଦେଇଥିବା ବିଭିନ୍ନ ବିପର୍ଯ୍ୟୟ ପରିଚାଳନାରେ ଏକତାକୁ ପ୍ରୋତ୍ସାହିତ କରିବା, ସ୍ୱେଚ୍ଛାସେଵୀମାନଙ୍କୁ ସମ୍ମାନିତ କରିବା, ସଙ୍କଟ ସମୟରେ ଗୋଷ୍ଠୀର ଲୋକମାନଙ୍କୁ ସମର୍ଥନ କରିବା ଏବଂ ମାନବିକତାର କାହାଣୀକୁ ପୁନରୁଦ୍ଧାର କରିବା ଉପରେ ଧ୍ୟାନ ଦେବା। ଆସନ୍ତୁ , ମାନବିକତା ପାଇଁ ଏକତାକୁ ବଜାୟ ରଖିବା ସହ ମାନବିକ ସମ୍ମାନ ରକ୍ଷା କରି ବିପନ୍ନମାନଙ୍କ ଯନ୍ତ୍ରଣାକୁ ଲାଘବ କରିବା । ରେଡ଼କ୍ରସର ଏହି ମହନୀୟ ଆଦର୍ଶକୁ ଆମେ ନିଜ ବାସ୍ତବ ଜୀବନରେ କାର୍ଯ୍ୟକାରୀ କରି ପାରିଲେ ପ୍ରତ୍ୟେକ କର୍ମରେ ଏକ ଅନିର୍ବଚନୀୟ ପରିତୃପ୍ତି ମିଳିବ -ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ |

ଶାନ୍ତନୁ କୁମାର ପରିଡ଼ା 

ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ
ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଗୋଲାମୁଣ୍ଡା, ଜିଲ୍ଲା: କଳାହାଣ୍ଡି 
ସମ୍ପର୍କ – ୭୦୦୮୧୫୯୩୩୨

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.