ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହହାଲ ଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳ ବାସୀ ଦିର୍ଘ ଦିନରୁ ଦାବୀ କରିଆସୁଛନ୍ତି। ଏଥି ସକାଶେ ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କ ପରାମର୍ଶ କ୍ରମେ ଭାଜପା ଯୁବ ନେତା ଚିନ୍ମୟ ମିଶ୍ର କଳାହାଣ୍ଡି ଗ୍ରସ୍ତରେ ଆସିଥିବା ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭବାନୀପାଟଣା ଠାରେ ସାକ୍ଷାତ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ବ୍ଲକ ସଦର ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଗଜବାହାଲ ପଂଚାୟତ ଅବସ୍ଥିତ। ଏଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ହେଲେ ଗଜବାହାଲ ପଞ୍ଚାୟତ ଓ ପୌରକେଲା ପଞ୍ଚାୟତର କିଛି ଗ୍ରାମ, ମ.ରାମପୁର ବ୍ଲକର ଗୋଛାଡେଙ୍ଗେନ୍ ପଞ୍ଚାୟତ ତଥା ସୀମାନ୍ତ ରେ ଥିବା ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକର କିଛି ଅଞ୍ଚଳବାସୀ ଉପକୃତ ହୋଇ ପାରିବେ।





