ବିଭିନ୍ନ ସମସ୍ୟା ସମାଧାନ ଦିଗରେ କର୍ତ୍ତୃପକ୍ଷ ନେଉନାହାନ୍ତି ପଦକ୍ଷେପ ଅଭିଯୋଗ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଶିକ୍ଷା ଜିଲ୍ଲାର ରାୟଗଡା ପୌରାଞ୍ଚଳରେ ଥିବା ଆର ଏସ ଇ ଡବ୍ଲୁ ସି ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ର ତଥା ଉକ୍ତ ସ୍କୁଲର ହଷ୍ଟେଲରେ ରହୁଥିବା ଅନ୍ତେବାସୀମାନେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କଡା ଶାସନ, ଦୁର୍ବ୍ୟବହାର, ଜାତିଆଣ ଆକ୍ଷେପ,ସହ ଦୀର୍ଘ ଦିନ ଧରି ହଷ୍ଟେଲରେ ଥିବା ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦେଉ ନ ଥିବାରୁ ଆଜି ପ୍ରଧାନଶିକ୍ଷକ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ବିରୋଧରେ ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କୁ ଅଭିଯୋଗ କରିଛନ୍ତି | ବିଭିନ୍ନ ସମସ୍ୟା ମଧ୍ୟରେ ହଷ୍ଟେଲରେ ରହୁଥିବା ପ୍ରକାଶ କରିଛନ୍ତି ଏହି ଅନ୍ତେବାସୀ ମାନେ | ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ବିଦ୍ୟାଳୟ କର୍ତ୍ତ୍ତୃପକ୍ଷ ନାଲି ଆଖି ଦେଖାଉଥିବାରୁ ଆଜି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣିଚନ୍ଦ୍ର ବରିହା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କୁ ସମସ୍ୟା ବିଷୟରେ ଅବଗତ କରିଛନ୍ତି ଅନ୍ତେବାସୀ ଛାତ୍ରମାନେ | ଯଥାଶୀଘ୍ର ହଷ୍ଟେଲର ମରାମତି କରାଯିବା ସହ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଛାତ୍ରମାନଙ୍କୁ ଜିଲ୍ଲାପାଳ ଆଶ୍ୱାସନା ଦେଇଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି | ଦୀର୍ଘ ତିନି ମାସରୁ ଉର୍ଦ୍ଧ ସମୟ ଧରି ହଷ୍ଟେଲରେ ଥିବା ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇ ପାରୁନଥିବା ବେଳେ ଗାଧୁଆ ଘର ଓ ଶୌଚାଳୟର କବାଟ ଭାଙ୍ଗି ପଡିଛି | ହାତ ଧୋଇବାକୁ ଥିବା ବେସିନ କାମରେ ଆସୁନି | ପାନୀୟ ଜଳର ଅଭାବ, ଦିଆଯାଉନାହିଁ ମଶାରୀ | ଶୌଚାଳୟ ଓ ଗାଧୁଆ ଘର ସଫା କରିବାକୁ ପିଲାମାନେ ବ୍ଲିଚିଙ୍ଗ ଓ ଝାଡୁ ମାଗିଲେ ମଧ୍ୟ ଦିଆଯାଉନାହିଁ ଫଳରେ ପିଲାମାନେ ଗନ୍ଧମୟ ତଥା ଅସ୍ୱାସ୍ଥ୍ୟକର ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି ଏବଂ ହଷ୍ଟେଲ ଅନ୍ତେବାସୀଙ୍କୁ ପ୍ରତିଦିନ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ନେଇ ଅନ୍ତେବାସୀମାନେ ପ୍ରକାଶ କରିଛନ୍ତି | ଏହି ହଷ୍ଟେଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ପାଖାପାଖି ଦୁଇଶହ ଜଣ ଅନ୍ତେବାସୀ ଛାତ୍ର ରହୁଛନ୍ତି | ତେବେ ହଷ୍ଟେଲର ସମସ୍ୟା ସମ୍ପର୍କରେ କିଛି ଜାଣି ନ ଥିବା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବିଶ୍ୱାଳ କହିଥିବା ବେଳେ ଅନ୍ତେବାସୀ ମାନେ ଆଣିଥିବା ଅଭିଯୋଗ ଭିତ୍ତିହୀନ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ରଥ ପ୍ରକାଶ କରିଛନ୍ତି |