ଶେଷରେ ଆଖି ବୁଜିଲେ ଗଜରାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କମର୍ଦ୍ଧା ସେକ୍ସନର ଗନ୍ଧରବାରୁ ର ଏକ କପା ବିଲରେ ଗୋଟିଏ ଦନ୍ତା ଗୁରୁତର ଅବସ୍ଥାରେ ପଡିଥିଲା । ଗାଁ ନିକଟରେ ହାତୀଟି ପଡ଼ିଥ‌ିବା ବେଳେ ଗୁରୁବାର ରାତିରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀଟିକୁ ଚିକିତ୍ସା କରିଥିଲେ । ହେଲେ କାମ ଦେଲାନି ବନ ବିଭାଗର ପ୍ରୟାସ । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଗଜରାଜ ଶେଷରେ ଆଖି ବୁଜିଦେଲେ। ବନ ବିଭାଗ ଅଧିକାରୀଙ୍କୁ ହାତୀଟିର ଅସୁସ୍ଥତାର କାରଣ ପଚାରିବାରୁ ବୁଧବାର ରାତିରେ ଦୁଇଟି ହାତୀଙ୍କ ମଧ୍ୟରେ ଲଢ଼େଇ ପରେ ଏହି ହାତୀଟି ଆହତ ହୋଇଛି । ହାତୀଟିର ବେକ ପାଖରେ ଆଘାତ ଲାଗିଛି । ହାତୀ ମାନଙ୍କ ମଧ୍ୟରେ ଲଢେ଼ଇ ହେଲେ ଅନେକ ସମୟରେ ଦୁର୍ବଳ ହାତୀଟି ମରିଯିବାର ଅନେକ ନଜୀର ରହିଛି। ଏହି କ୍ଷେତ୍ରରେ ମଧ୍ୟ ଠିକ ଏଇୟା ହିଁ ହୋଇଥାଇ ପାରେ ବୋଲି ଆକଳନ କରାଯାଉଛି ବୋଲି ନର୍ଲା ରେଞ୍ଜର ପ୍ରଶାନ୍ତ ପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ଏଠାରେ ପ୍ରକାଶ ଯୋଗ୍ୟଯେ ଦକ୍ଷିଣ ଓ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ନେତୃତ୍ବରେ ବନବିଭାଗ ପଦାଧିକାରୀ ଏବଂ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ହାତୀଟିର ଚିକିତ୍ସା କରାଯାଉଥିଲା। ଶୁକ୍ରବାର ସକାଳେ ହାତୀ ଅଚେତ ଅବସ୍ଥାରେ ପଡିରହିଥିଲା ବେଳେ ସାଲାଇନ ଦେବା ପରେ ତା’ର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିଲା। ହେଲେ ଶନିବାର ଭୋର ପ୍ରାୟ ଦୁଇଟା ବେଳେ ହାତୀଟି ଆଖି ବୁଜିଦେଇଥିବା ଖବର ମିଳୁଛି । ମୃତ ହାତୀଟିକୁ ବ୍ୟବଚ୍ଛେଦ କରାଯିବା ପରେ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ତାକୁ ପୋତି ଦିଆଯିବ ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.