ସକ୍ରୀୟ କର୍ମୀ ଓ ଜନ ପ୍ରତିନିଧିଙ୍କୁ ନେଇ ବିଜେଡିର ପ୍ରଶିକ୍ଷଣ ଶିବିର

ରାୟଗଡା ବିଧାନସଭା ଆସନକୁ ଦଖଲ ପାଇଁ ରଣନୀତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୁ ଜନତା ଦଳ ରାୟଗଡା ବ୍ଳକର ‘କ’ ‘ଖ’ ଓ ‘ଗ’ତିନୋଟି ଜୋନ ସହ ରାୟଗଡା ପୈାରାଂଚଳର ଜନ ପ୍ରତିନିଧି ଓ ସକ୍ରିୟ କର୍ମୀଙ୍କୁ ନେଇ ଆଜି ମଙ୍ଗଳବାର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାୟଗଡା ନିର୍ବାଚନ ମଣ୍ଡଳି
ସହ-ପର୍ଯ୍ୟବେକ୍ଷକ ରଂଜିତ ରଏଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ମାଷ୍ଟର ଟ୍ରେନର ଅଭିଶେକ୍ ଜଗତ ଓ ଦେବାଶିଷ ଯୋଗ ଦେଇ ଜନ ପ୍ରତିନିଧି ଓ ସକ୍ରିୟ କର୍ମୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ଆହୁରି ସଶକ୍ତ ଓ ସୁଦୃଢ କରିବା ସହ ନବୀନ ସରକାରଙ୍କ ଶାସକ କାଳ ମଧ୍ୟରେ ରାଜ୍ୟ ସରକାରଙ୍କ ଅନେକ ଲୋକାଭିମୁଖୀ ତଥା ଗରୀବ କଲ୍ୟାଣ ଯୋଜନାରେ ବିଭିନ୍ନ କ୍ଷେତ୍ରରେ ପ୍ର୍ରତ୍ୟେକ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଥିବାରୁ କିପରି ରାଜ୍ୟବାସୀ ଉପକୃତ ହୋଇପାରିଛନ୍ତି ସେ ବିଷୟରେ ତୃଣମୂଳସ୍ତରରେ ଲୋକଙ୍କ ଘରେ ଘରେ ପଂହଚି ସେମାନଙ୍କୁ ଜଣାଇବା ପାଇଁ ବିଜେଡିର ସକ୍ରିୟ କର୍ମୀ ଓ ଜନ ପ୍ରତିନିଧିମାନେ ନିଜ ଦାୟିତ୍ୱ ତୁଲାଇବେ ସେ ନେଇ ପ୍ରଶିକ୍ଷଣ ଦେଇଥିଲେ । ଏଥିସହ ପ୍ରତି ୱାର୍ଡରେ ସକ୍ରିୟ କର୍ମୀମାନେ ଜଣଙ୍କ ପିଚ୍ଛା ୨୦ଘରକୁ ବିଜୁ ଜନତା ଦଳର ଆଦର୍ଶ,ନୀତି ଓ ନବୀନ ସରକାରଙ୍କ ସୁଶାସନ ବିଷୟରେ ମଧ୍ୟ ଆଲୋକପାତ କରାଇ ସେମାନଙ୍କ ଘରେ ଘରେ ଶଙ୍ଖ ଚିହ୍ନ ଲଗାଇବେ ବୋଲି ପ୍ରଶିକ୍ଷକମାନେ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ ଏକ ପ୍ରକାର ଆସନ୍ତା ୨୦୨୪ବର୍ଷରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା ଜଣାପଡିଛି । ଦଳୀୟ ଜନ ପ୍ରତିନିଧି ଏବଂ ସକ୍ରିୟ କର୍ମୀମାନେ ପ୍ରଶିକ୍ଷଣ ପାଇ ନିଜ ନିଜ ଅଂଚଳରେ ବିଜେଡି ଦଳର ଶାସନରେ ଓଡିଶାର ବିକାଶର ଧାରା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଏବେ ଠାରୁ ବିଜେଡିର ଏହା ଏକ ଋଣନୀତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ବୋଲି କୁହାଯାଇଛି । ଗତ ୨୦୧୯ବର୍ଷ ସାଧାରଣ ନିର୍ବାଚନରେ ବିଜେଡି ଦଳ ରାୟଗଡା ନିର୍ବାଚନ ମଣ୍ଡଳିର ବିଧାନସଭା ଆସନକୁ ହାତେଇ ପାରି ନ ଥିବା ବେଳେ ତିନ ପ୍ରମୁଖ ଦଳକୁ ପଛରେ ପକାଇ ସ୍ୱାଧୀନ ବିଧାୟକ ବିଜୟୀ ହୋଇଥିଲେ । ଯାହାକି ଦଳୀୟ ଗୋଷ୍ଠୀ କନ୍ଦଳର ମୂଳ କାରଣ ଥିଲା ବୋଲି ଶିବିରରେ ଉପସ୍ଥିତ ରାଜ୍ୟ ବିଜେଡି ଉପସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପ୍ରକାଶ କରିବା ସହ ଆଗାମୀ ନିର୍ବାଚନରେ ସେହି ଭୁଲ୍ ଯେପରି ନ ହୁଏ ତେଣୁ ଦଳୀୟ ସକ୍ରୀୟ କର୍ମୀ ଓ ଜନ ପ୍ରତିନିଧିମାନେ ଶିବିରରେ ପ୍ରଶିକ୍ଷଣ ପାଇଁ ଦଳକୁ ଆହୁରି ମଜବୁତ କରିବା ସହ ପୁଣି ରାଜ୍ୟରେ ନବୀନ ସରକାରଙ୍କ ଶାସନକୁ ଆଣିବା ପାଇଁ ଏବେ ଠାରୁ ଲୋକଙ୍କ ଠାରେ ପଂହଚିବା ପାଇଁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ପରିଷଦ ଅଧ୍ୟକ୍ଷ୍ୟା ସରସ୍ୱତୀ ମାଝି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ବିନାୟକ କର,ରାୟଗଡା ଜିଲ୍ଳା ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତି ଶର୍ମିତା ପାଢୀ, ରାୟଗଡା ନଗର ବିଜେଡି ସଭାପତି ବାରଜି ଜଗନମୋହନ ରାଓ, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା,ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ରାୟଗଡା ନଗର ଉପାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡା, ସୁଜାତା ପାଳ, ଜିଲ୍ଳା ବିଜେଡି ସଂପାଦକ ଡୋଡଲା ଶ୍ରୀନିବାସ, ଅମୀୟ ସ୍ୱାଇଁଙ୍କ ସମତେ ତିନୋଟି ଜୋନର ଜିଲ୍ଳା ପରିଷଦ ସଭ୍ୟସଭ୍ୟା, ସରପଂଚ, ସମିତିସଭ୍ୟସଭ୍ୟା, ୱାର୍ଡମେମ୍ବର, ରାୟଗଡା ନଗର କାଉନସିଲର, ଏସଏସଜି ମହିଳା ଗୋଷ୍ଠୀର ସଦସ୍ୟାଙ୍କ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଆସନ୍ତାକାଲି ବୁଧବାର ଦିନ କାଶିପୁର ବ୍ଳକର ତିନୋଟି ଜୋନର ସକ୍ରିୟ କର୍ମୀ ଏବଂ ଜନ ପ୍ରତିନିଧିଙ୍କୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.