କେନ୍ଦ୍ର ସାହିତ୍ୟ ଏକାଡେମୀର ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ 

କବି ହେଉଛି ସାରା ବିଶ୍ବର ନାଗରିକ -ଦାନ୍ତେ ମିଶୋ

ଓଡ଼ିଆ ବାର୍ତ୍ତା/ କୋଲକାତା (କୃଷ୍ଣ କୁମାର ମହାନ୍ତି): କୋଲକାତା ସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ ଏକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ବଙ୍ଗଳା କବି ସୁବୋଧ ସରକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ ବିଶିଷ୍ଟ ଇଂରାଜୀ କବି ଦାନ୍ତେ ମିଶୋ। ପ୍ରାରମ୍ଭରେ କବିଙ୍କୁ ଉତ୍ତରୀୟ ଓ ପୁସ୍ତକ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏକାଡେମୀର ଆଂଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ। କବିତା ପାଠ ସହିତ ଦାନ୍ତେ ମିଶୋ ନିଜ କାବ୍ୟ ଯାତ୍ରାର ସଂକ୍ଷିପ୍ତ ବିବରଣୀ ପ୍ରକାଶ କରିଥିଲେ। ଭାରତୀୟ ସଂସ୍କୃତି ଏବଂ ପଶ୍ଚିମବଙ୍ଗ ସହ ସଂପୃକ୍ତି ତାଙ୍କ କବିତାକୁ ନୂଆ ଦିଗ ଦେଖାଇଛି ବୋଲି ସେ କହିଥିଲେ। କବିତା ପାଠ ପରେ ଉପସ୍ଥିତ ଲେଖକ ଲେଖିକାଙ୍କ ସହ ସେ ଅନ୍ତରଙ୍ଗ ଆଳାପ କରିଥିଲେ ଏବଂ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏକ ପ୍ରଶ୍ନର ଉତ୍ତର ଛଳରେ ସେ କହିଥିଲେ, ଜଣେ କବିର କୌଣସି ଦେଶ ନ ଥାଏ, ସେ ସମଗ୍ର ବିଶ୍ବର ନାଗରିକ। ସଭାପତି ସୁବୋଧ ସରକାର ନିଜ ବକ୍ତବ୍ୟରେ ମିଶୋଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବେଳର ସ୍ମୃତିଚାରଣ କରିବା ସହିତ ମିଶୋଙ୍କ କବିତାର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ। ଡକ୍ଟର ସରକାର ମିଶୋଙ୍କ ଦୁଇଟି ଚର୍ଚ୍ଚିତ କବିତାର ବଙ୍ଗଳା ଅନୁବାଦ ପାଠ କରିଥିଲେ। ଶେଷରେ ଏକାଡେମୀର ସହାୟକ ସଂପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ସମାବେଶରେ ସହରର ବହୁ ସାହିତ୍ୟିକ ଓ ବିଦ୍ଵାନ୍ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.