ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଦାବୀ ପୂରଣ ନ ହେଲେ ୨୦ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯିବ ଅମଲା ସଙ୍ଘ
ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ପଂଚାୟତ ସମିତି ପ୍ରାଙ୍ଗଣରେ ନୂଆପଡା ଜିଲ୍ଲା ଅମଲା ସଙ୍ଘ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ନୂଆପଡା ଜିଲ୍ଲା ଅମଲା ସଙ୍ଘ ସଭାପତି ଧର୍ମରାଜ ନାଏକଙ୍କ ସ୍ଵଭାପତିତ୍ୱରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ ବୈଠକରେ ସର୍ବ ସମ୍ମତି କ୍ରମେ ଚଳିତ ମାସ ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟି ଯିବା ପାଇଁ ନିଷ୍ପତି କରାଯାଇଛି। ବହୁ ଦିନରୁ ନୂଆପଡା ଜିଲ୍ଲା ସ୍ତରୀୟ ଅମଲା ସଙ୍ଘ ଏକ ମାତ୍ର ଦାବୀ ଲେଭେଲ -୪ ରୁ ଲେଭେଲ -୯ କୁ ଉନ୍ନିତ କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବୀ ଉପସ୍ଥାପନ ଓ ଆଲୋଚନା କରାଯାଉଥିଲେ ମଧ୍ୟ ସରକାର ଶୀଘ୍ର ଦାବୀ ପୂରଣ କରିବା ପାଇଁ ଅହେତୁକ ବିଳମ୍ବ କରି ଚାଲିଥିବାରୁ ଉପସ୍ଥିତ ସମସ୍ତ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମ୍ବନ୍ଧରେ ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦାବୀ ପୂରଣ କରିବା ପାଇଁ ବାରମ୍ବାର ଦୃଢ଼ ପ୍ରତିଶୃତି ଦେବାର ପ୍ରାୟ ୬ ମାସ ବିତି ଯାଇଥିଲେ ମଧ୍ୟ ଏ ଦିଗ ରେ ରାଜ୍ୟ ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରି ନ ଥିବାରୁ ପୁଣି ଠାରେ ଅମଲା ସଙ୍ଘ ଏକଜୁଟ ହୋଇ ନିଜର ହକର ଲଢେଇ ଲଢ଼ିବ ବୋଲି ନିଷ୍ପତି ନେଇଛି। ପ୍ରକାଶ ଯେ, ତତ୍କାଳୀନ ୫-ଟି ସଚିବଙ୍କ ପ୍ରତିଶୃତି ଉପରେ ଅମଲା ସଙ୍ଘ ବିଶ୍ୱାସ କରି ସେତେବେଳେ ଚାଲିଥିବା ଅମଲା ଆନ୍ଦୋଳନକୁ ସ୍ଥଗିତ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଅମଲା ସଙ୍ଘ ନିଜକୁ ଅବହେଳିତ ଭଳି ମନେକରୁଛି। ତେବେ ଆସନ୍ତା ୧୯ ଡିସେମ୍ବର ମଧ୍ୟରେ ଅମଲା ସଙ୍ଘର ଦାବୀ ଲେଭେଲ-୪ ରୁ ଲେଭେଲ-୯ କୁ ବଢ଼ା ନ ଗଲେ ବାଧ୍ୟ ହୋଇ ରାଜ୍ୟ ଅମଲା ସଙ୍ଘର ନିଷ୍ପତିକୁ ସମ୍ମାନ ଜଣାଇ ଜିଲ୍ଲା ଅମଲା ସଙ୍ଘ ସାମୁହିକ ଭାବେ ଆସନ୍ତା ୨୦ ଡିସେମ୍ବରରୁ ଛୁଟିରେ ଯିବାର ଏହି ବୈଠକରେ ସୁନିଶ୍ଚିତ ହୋଇଛି। ଏହି ବୈଠକରେ ଜିଲ୍ଲା ଅମଲା ସଙ୍ଘର ସମ୍ପାଦକ ପବନ କୁମାର ସୋନୀ, ଉପ ସଭାପତି ଅମରେନ୍ଦ୍ର ରଥ, ମନୋଜ ମହାରଣା, ଲୋକନାଥ ରଥ, ବଲଭଦ୍ର ମାଝୀ, ସରୋଜ ହୋତା, ରଞ୍ଜନ ସୁନାନୀ, ମଦନ ସୁନ୍ଦର ସାହୁ, ଧନାନ୍ତରୀ ନାରାୟଣ ଚଲାନ, ମୋହନ ବାଗ, ଜାକିର ମହମ୍ମଦ, ତନ୍ମୟ କୁମାର ଜେନା, ମମତା ଶବର, ସଂଚିତା ସାହୁ, ପ୍ରିୟ ଦର୍ଶନୀ ସାହୁ, ସଞ୍ଜୟ କୁମାର ନାୟକ, ଲକ୍ଷ୍ମଣ ଦଣ୍ଡସେନା, ମନୋଜ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।