ମଧ୍ୟପ୍ରଦେଶକୁ ମିଳିଛି ତାର ନୂତନ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ ମୋହନ ଯାଦବଙ୍କ ବିଷୟରେ….

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶକୁ ମିଳିଛି ତାର ନୂତନ ମୁଖ୍ୟମନ୍ତ୍ରୀ । ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି ବିଜେପି । କୁହାଯାଉଛି କାଳେ ଖୋଦ୍ ଶିବରାଜ ସିଂ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିବାକୁ ପ୍ରସ୍ତାବ ରଖିଥିଲେ । ମୋହନ ଯାଦବ ଉଜ୍ଜେନ ଦକ୍ଷିଣର ବିଧାୟକ । ସେ ଦଳର ଅତି ନିକଟତର ନେତା ମଧ୍ୟ କୁହାଯାଏ । ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ୨୦୧୩ରେ ସେ ପ୍ରଥମେ ବିଧାୟକ ଭାବରେ ମନୋନିତ ହୋଇଥିଲେ । ତା’ପରେ ୨୦୧୮ରେ ସେ ଉଜ୍ଜେନ ଦକ୍ଷିଣ ସିଟରୁ ନିର୍ବାଚନ ଜିତିଥିଲେ । ମାର୍ଚ୍ଚ ୨୦୨୦ରେ ଶିବରାଜ ପୂନର୍ବାର ସରକାର ଗଢିବା ପରେ ଜୁଲାଇ ମାସରେ ତାଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା । ଜୁଲାଇ ୨, ୨୦୨୦ ରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ରାଜ୍ୟ ରାଜନୀତିରେ ତାଙ୍କର ସ୍ଥିତି ବୃଦ୍ଧି ପାଇଲା। ମୋହନ ଯାଦବ ୨୫ ମାର୍ଚ୍ଚ ୧୯୬୫ରେ ମଧ୍ୟପ୍ରଦେଶର ଉଜ୍ଜେନରେ ଜନ୍ମ ଗ୍ରହଣ କରିଥିଲେ । ଅନେକ ଦିନ ଧରି ବିଜେପିରେ ସାମିଲ ଥିଲେ ମୋହନ । ଲଗାତର ଭାବରେ ତିନି ତିନି ଥର ବିଧାୟକ ହୋଇଛନ୍ତି ସେ । ଉଜ୍ଜେନର ଦକ୍ଷିଣରୁ କଂଗ୍ରେସର ଚେତନ ପ୍ରେମ ନାରାୟନଙ୍କୁ ୧୨୯୪୧ ଭୋଟରେ ହରାଇଥିଲେ ମୋହନ । ମୋହନ ଯାଦବ ଜଣେ ଛାତ୍ର ନେତାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୨ରେ ସେ ମାଧବ ସାଇନ୍ସ କଲେଜର ଜଏଣ୍ଟ ସେକ୍ରେଟର ଥିଲେ । ପରେ ୧୯୮୪ରେ ଅଧ୍ୟକ୍ଷ ଓ ପରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ, ଉଜ୍ଜେନର ନଗର ମନ୍ତ୍ରୀ ହୋଇଥିଲେ । ପରେ ତାଙ୍କୁ ୧୯୮୮ରେ ଏବିଭିପିର ପ୍ରଦେଶ ସହମନ୍ତ୍ରୀ ଏବଂ ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଚୟନ କରାଯାଇଥିଲା । ସେ ୧୯୮୯-୯୦ ରୁ ପରିଷଦର ରାଜ୍ୟ ୟୁନିଟର ରାଜ୍ୟ ମନ୍ତ୍ରୀ ହୋଇଥିଲେ । ଏହିପରି ଭାବରେ ସଫଳତାର ସିଡି ଚଢି ଚଢି ୧୯୯୧-୯୨ରେ ପରିଷଦର ରାଷ୍ଟ୍ରିୟ ମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲେ ମୋହନ । ୨୦୦୦-୨୦୦୩ରେ ସେ ବିକ୍ରମ ବିଶ୍ଵବିଦ୍ୟାଳୟର କାର୍ଯ୍ୟପରିଷଦ ସଦସ୍ୟ ହୋଇଥିଲେ । ସେହି ବର୍ଷ ହିଁ ତାଙ୍କୁ ଭାଜପା ଜିଲ୍ଲା ମହାମନ୍ତ୍ରୀ କରାଯାଇଥିଲା । ୨୦୦୪ରେ ଭାଜପାର ପ୍ରଦେଶ କାର୍ଯ୍ୟସମିତିର ସଦସ୍ୟ ହୋଇଥିଲେ ମୋହନ । ପରେ ୨୦୦୪-୨୦୧୦ ପର୍ଯ୍ୟନ୍ତ ଉଜ୍ଜେନ ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ । ୨୦୦୮ରେ ଭାରତ ସ୍କାଉଟ ଆଣ୍ଡ ଗାଇଡର ଜିଲ୍ଲାଅଧ୍ୟକ୍ଷ ଓ ୨୦୧୧-୨୦୧୩ରେ ମଧ୍ୟପ୍ରଦେଶର ରାଜ୍ୟ ପର୍ଯ୍ୟଟନ ବିକାଶ ଅଧ୍ୟକ୍ଷ ହୋଇଥିଲେ । ଏହାଛଡା ଅନେକ ପୁରଷ୍କାରର ଅଧୀକାରୀ ହୋଇଛନ୍ତି ମଧ୍ୟ ସେ । ସମଗ୍ର ବିକାଶ ହେତୁ ପ୍ରବାସୀ ଭାରତୀୟ ସଂଗଠନ ଚିକାଗୋ ତରଫରୁ ତାଙ୍କୁ ମହାତ୍ମା ଗାନ୍ଧି ପୁରଷ୍କାର, ଇସ୍କନ ଇଣ୍ଟରନ୍ୟାସନାଲ ଫାଉଣ୍ଡେଶନ ତରଫରୁ ସମ୍ମାନ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟଟନର ନିରନ୍ତର ବିକାସ କାରଣରୁ ମଧ୍ୟ ପୁରଷ୍କାର ମିଳିଛି । ମୋହନ ଯାଦବ ୨୦୨୩ ମସିହାରେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ କହିଛନ୍ତି ଯେ ତାଙ୍କର ୪୨ କୋଟିରୁ ଅଧିକ ସମ୍ପତ୍ତି ରହିଛି । ଏଥିମଧ୍ୟରୁ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ୩୨କୋଟିର ଅସ୍ଥାବର ସମ୍ପତ୍ତି ଅଛି | ତାଙ୍କ ବିରୋଧରେ ଏଯାବତ୍ କୌଣସି ଅପରାଧିକ ମାମଲା ପଞ୍ଜିକୃତ ହୋଇନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.