ଚାଷୀଙ୍କ କ୍ଷତିପୂରଣ ଦାବି କଲା ରାୟଗଡା ଜିଲ୍ଳା କିସାନ କଂଗ୍ରେସ କମିଟି

ମିଗଜୋମ୍ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ : କଂଗ୍ରେସ୍

କୈାଣସି କ୍ଷୟକ୍ଷତି ହୋଇ ନ ଥିବା ରିପୋର୍ଟ ପଠାଇଛି ଜିଲ୍ଳା କୃଷି ବିଭାଗ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମିଗଜୋମ ବାତ୍ୟା ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ରାୟଗଡା ଜିଲ୍ଳାର ବିଭିନ୍ନ ଅଂଚଳରେ କପା, ଧାନ ତଥା ପନିପରିବା ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ନେଇ ଅଭିଯୋଗ ଆଣିଛି ରାୟଗଡା ଜିଲ୍ଳା କିସାନ କଂଗ୍ରେସ କମିଟି। ରାଜ୍ୟ ସରକାର ତଥା ଜିଲ୍ଳା ପ୍ରଶାସନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷର ମୂଲ୍ୟାଙ୍କନ ପାଇଁ ବିଭାଗୀୟ କର୍ତୁପକ୍ଷଙ୍କ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇନାହିଁ। ଫଳରେ ଚାଷମାନେ କ୍ଷୟକ୍ଷତିରେ ହନ୍ତସନ୍ତ ହେଉଛନ୍ତି ବୋଲି କହିଛି କିସାନ କଂଗ୍ରେସ କମିଟି। ଏ ନେଇ ମଙ୍ଗଳବାର ରାୟଗଡା ଜିଲ୍ଳା କିସାନ କଂଗ୍ରେସ କମିଟି ଅଧ୍ୟକ୍ଷ ଏମ.ଗଙ୍ଗାଧର ଆଚାରୀଙ୍କ ନେତୃତ୍ୱରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଜୟ କୁମାର ଗମାଙ୍ଗ, ଶଙ୍କର୍ଷଣ ମଙ୍ଗରାଜ, ରାମଦାସ ବିଡିକା, ନରସିଂହ ମାଣ୍ଡାଙ୍ଗି, କିଲିକା ସାଙ୍ଗନା, ବଳରାମ ଫିତ୍ରିକା ଓ ଅନ୍ୟମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କୁ ପ୍ରଦାନ କରିଛନ୍ତି ।

ଏହି ଦାବିପତ୍ରରେ ଜିଲ୍ଳାର ଯେଉଁ ଅଂଚଳରେ କପା, ଧାନ, ପନିପରିବା ଚାଷରେ ଚାଷୀ କ୍ଷୟକ୍ଷତି ହୋଇଛି ସେମାନଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା, ଚାଷୀମାନଙ୍କ କୃଷି ଋଣକୁ ସଂପୂର୍ଣ୍ଣ ଛାଡ କରିବା,ଏକର ପିଚ୍ଛା ୨୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଅର୍ଥ ପ୍ରଦାନ କରିବା, ପାଣିରେ ଭିଜିଥିବା ରଙ୍ଗବିହିନ ଧାନକୁ ନିର୍ଦ୍ଧାରିତ ଏମଏସପିରେ କ୍ରୟ କରିବା ପାଇଁ ବ୍ୟବସ୍ଥା କରିବା, ଧାନ, କପା, ଡାଲୀଜାତୀୟ ତଥା ଫଳ ଭିତିକ ଉତ୍କୃଷ୍ଠ ବିହନ କୃଷି ବିଭାଗ ଦ୍ୱାରା ଯୋଗାଇବା ଏବଂ ଚାଷୀଙ୍କ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ କିସାନ କଂଗ୍ରେସ କମିଟି ଅନୁରୋଧ କରିଥିବା ସଭାପତି ଶ୍ରୀ ଆଚାରୀ ପ୍ରକାଶ କରିଛନ୍ତି।

ଅପରପକ୍ଷେ ଚଳିତ ମାସ ଡିସେମ୍ବର ୫ ଓ ୬ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ମିଗଜୋମ ପ୍ରଭାବରେ ରାୟଗଡା ଜିଲ୍ଳାରେ ସମ୍ଭାବ୍ୟ ଅଦିନିଆ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଂଜ ଓ ୟେଲୋ ଆଲର୍ଟ କରାଯାଇଥିଲା। କିନ୍ତୁ ଜିଲ୍ଳାରେ ୩୩ପ୍ରତିଶତରୁ କମ ପରିମାଣର ବର୍ଷା ରେକର୍ଡ କରାଯାଇଥିବାରୁ ଅଦିନିଆ ବର୍ଷା ପ୍ରଭାବରେ ଜିଲ୍ଳାରେ କୈାଣସି ପ୍ରକାର ଫସଲ କ୍ଷୟକ୍ଷତି ହୋଇ ନ ଥିବା ରାଜ୍ୟ ସରକାରଙ୍କ ଜିଲ୍ଳା କୃଷି ବିଭାଗ ପକ୍ଷରୁ ରିପୋର୍ଟ ହୋଇଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାପଡିଛି। ରାୟଗଡା ଜିଲ୍ଳାର ବିଷମକଟକ ବ୍ଳକରେ ଦୁୁଇ ଦିନରେ ବିଷମକଟକ ବ୍ଳକରେ ୨୨.୨ମିମି,ଚନ୍ଦ୍ରପୁରରେ ୯.୦ମିମି, ଗୁଡାରୀରେ ୧୨.୬ମିମି, ଗୁଣପୁରରେ ୨୫.୦ମିମି, କଲ୍ୟାଣସିଂହପୁରରେ ୩୭ମିମି,କାଶିପୁରରେ ୨୦.୨ମିମି, କୋଲନରାରେ ୨୨.୨ମିମି, ମୁନିଗୁଡାରେ ୨୭.୨ମିମି, ପଦ୍ମପୁରରେ ୧୧.୧ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାମନାଗୁଡାରେ ୩୦ମିମି ଏବଂ ରାୟଗଡା ବ୍ଳକରେ ୩୨ମିମି ବର୍ଷା ଯାହାକି ହାରାହାରି ୨୨.୬ପ୍ରତିଶତ ବର୍ଷା ହୋଇଥିବା ବିଭାଗୀୟ ତଥ୍ୟ ପ୍ରକାଶ କରୁଛି।

ବର୍ଷାର ସତର୍କତା ପୂର୍ବରୁ କୃଷି ବିଭାଗ ପକ୍ଷରୁ ମାଇକ ଏବଂ କ୍ଷେତ୍ରରେ ଚାଷୀଙ୍କୁ ସିଧାସଳଖ ପରାମର୍ଶ ଓ ସଚେତନତା କରାଯାଇଥିବାରୁ ଚାଷୀ ବିଲରେ କଟାଯାଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ବର୍ଷା ପୂର୍ବରୁ ନେଇ ଆସିଥିବା ଏବଂ ବିଲରେ ରହିଯାଇଥିବା ଧାନଗଦାରେ ପଲିଥିନ୍ ଦେଇ ଥିବାରୁ କୈାଣସି ଧାନ ଫସଲ ନଷ୍ଟ ହୋଇ ନ ଥିବା କୁହାଯାଇଛି। ଚଳିତ ଖରିଫ ଋତୁରେ ଜିଲ୍ଳାରେ ଧାନ ୪୦,୭୪୯ହେକ୍ଟରରେ କରାଯାଉଥିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ କପା ୪୯ହଜାର ହେକ୍ଟର, ମାଣ୍ଡିଆ ୧୯ହଜାର ହେକ୍ଟର,ମକା ୧୬ହଜାର ହେକ୍ଟର, କାନ୍ଦୁଲ ୧୧,୮୦୦ହେକ୍ଟର, ପନିପରିବା ୧୦ହଜାର ହେକ୍ଟର ଏବଂ ଅନ୍ୟାନ୍ୟ ଡାଲୀଜାତୀୟ ବିରି, ମୁଗ ଆଦି ପାଖାପାଖି ୧୮ହଜାର ହେକ୍ଟର ଚାଷ ଜମିରେ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ତେବେ ମିଗଜୋମ ବାତ୍ୟା ପ୍ରଭାବରେ ଜିଲ୍ଲାରେ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିବା ନେଇ ଜିଲ୍ଲା କିସାନ କଂଗ୍ରେସ କମିଟି ଅଭିଯୋଗ ଆଣୁଥିବା ବେଳେ କିନ୍ତୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୈାଣସି ଚାଷୀଙ୍କ ଫସଲକୁ କ୍ଷତି ପଂହଚି ନ ଥିବା କୁହାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.