‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ; ଜାଲ ନୋଟ୍ କାରବାରକୁ ଆତଙ୍କବାଦୀ କାର୍ଯ୍ୟ ଭାବେ କରାଯିବ ବିଚାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜାଲ୍ ନୋଟ କାରବାରକୁ ରୋକିବାକୁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାର ‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ କରିଛନ୍ତି । ଏହି ସଂଶୋଧିତ ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତି ଦେଶର ଆର୍ଥିକ ସ୍ଥିରତା ଓ ସୁରକ୍ଷା କୁ ବିପଦରେ ପକାଏ ଏବଂ ଜାଲ ନୋଟ ଉତ୍ପାଦନ କରେ କିମ୍ବା ଏହାର ଚୋରା କାରବାର କିମ୍ବା ପ୍ରଚଳନ ମାଧ୍ୟମରେ ଭାରତର ଆର୍ଥିକ ସ୍ଥିରତାକୁ କ୍ଷତି ପହଞ୍ଚାଉଥାଏ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩ ଅନୁଯାୟୀ ସେମାନଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ବିଚାର କରାଯିବ । ଏହା ସହିତ କୌଣସି ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା କିମ୍ବା ତାଙ୍କ ହତ୍ୟା ପଛର କାରଣ ହେବା ଏବଂ ଅପହରଣ ଭଳି ଅପରାଧ ମଧ୍ୟ ଆତଙ୍କବାଦ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହିତ କୌଣସି ମହିଳାଙ୍କୁ ମାନସିକ ସ୍ତରରେ କ୍ଷତି ପହଞ୍ଚାଇବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ପ୍ରସ୍ତାବିତ କ୍ରିମିନାଲ ‌କୋଡ୍ ରେ ଏଭଳି ଅପରାଧକୁ ସାମିଲ କରିବା ଲାଗି କେନ୍ଦ୍ର ସରକାର ‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ କରିଛନ୍ତି । ଯେଉଁ ବ୍ୟକ୍ତି ଏଭଳି କାର୍ଯ୍ୟକଳାପ ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ବିଚାର କରାଯିବ । ସେମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ । ସେହିପରି ଯେଉଁମାନେ ଏଭଳି ଅପରାଧିକ ଷଡ଼ଯନ୍ତ୍ର କରନ୍ତି, ଅନ୍ୟକୁ ପ୍ରୋତ୍ସାହିତ କରନ୍ତି କିମ୍ବା ଜାଣିଶୁଣି କୌଣସି ଆତଙ୍କବାଦୀ କାର୍ଯ୍ୟ କରିବାରେ ଅନ୍ୟକୁ ସହାୟତା କରନ୍ତି ସେମାନଙ୍କୁ ୫ ବର୍ଷର ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିପାରେ । ତେବେ ଭାରତୀୟ ନ୍ୟାୟ ସଂହିତା ବିଧେୟକରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ୫ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରସ୍ତାବିତ ଜରିମାନାକୁ ହଟାଇ ଦିଆଯାଇଛି । ବର୍ତ୍ତମାନ ଜରିମାନା ରାଶି କୋର୍ଟ ସ୍ଥିର କରିବେ । ତେବେ ବିଏନଏସ୍ ଏବଂ ଅନ୍ୟ ଦୁଇଟି ବିଲ୍- ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ପ୍ରଥମେ ଅଗଷ୍ଟ ମାସରେ ସଂସଦରେ ଉପସ୍ଥାପିତ କରାଯାଇଥିଲା । ଏହାର ଅଧିକ ଯାଞ୍ଚ ପାଇଁ ଏକ କମିଟିକୁ ପଠାଯାଇଥିଲା । କମିଟିର ଆଉ କେତେକ ସୁପାରିସକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାକୁ ଚଳିତ ସପ୍ତାହରେ ପ୍ରତ୍ୟାହାର କରାଯାଇଥିଲା । ଗତକାଲି (ମଙ୍ଗଳବାର) ସଂଧ୍ୟାରେ ଲୋକସଭାରେ ଏହି ୩ ଟି ସଂଶୋଧିତ ବିଲ୍ ଉପସ୍ଥାପନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.