ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ….

ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ ବଡ଼ ଦେଉଳରୁ ବିଜେ କଲେ। କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ। ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ। ଏହା ଶୁଣି ବଳରାମ କୋପକଲେ। ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା। ଅପମାନିତ ହୋଇ ଶ୍ରୀମନ୍ଦିରରୁ ବାହାରି ଗଲେ। ଯିବା ବେଳେ ପଣ କଲେ କାଳିଆ-ବଳିଆ ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ। ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା। ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ। ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ। ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ। ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ। ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି। ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ। ମାଣବସା ଗୁରୁବାର ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ। ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ। ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ। ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଲକ୍ଷ୍ମୀଙ୍କ ପାଖରେ। ପିଠାପଣା ଓ ଫଳମୂଳ ଭୋଗ ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ। ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ। ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ। ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ। ମା’ଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ।

Omkar Vasthu
Omkar Vasthu

‘ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ।

Pearl dental clinic
Near Ashish Medical Store, Bhawanipatna

ସ‌ହି ନ ପାରିଲେ ଚଣ୍ଡାଳୁଣୀର ଦୟିନୀ।।

Udyog Nursery
Udyogi Nursery

ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା।

ଦୁଇପାଦ ଦେଇ ମାତା ପଦ୍ମେ ହେଲେ ଉଭା।।

ଚଣ୍ଡାଳୁଣୀ ଘରଗୋଟି ପାଇଲାକ ଶୋଭା।

ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା।।

ବୋଇଲେକ ଚଣ୍ଡାଳୁଣୀ ମାଗି ଘେନ ବର।

ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର।।

ଚଣ୍ଡାଳୁଣୀ କ‌ହୁଅଛି ଶିରେ କର ଦେଇ।

କି ବର ମାଗିବି ମାଗୋ ମାଗି ନ ଜାଣଇ।।

ଗୋ-ଗୋଷ୍ଠକୁ ଦେବ ମୋର ଲକ୍ଷେ ପଦ୍ମ ଗାଈ।

କୁବେର ସମାନ ଧନ ଦେବୁ ମାଗୋ ତୁହି।।

କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି।

ଚାରିଯୁଗେ ବସିବି ଅମର ବର ପାଇ।।

ଲକ୍ଷ୍ମୀ ଶୁଣି ହୋଇଲେ ତୁ ହୋଇଛୁ କି ବାଇ।

ଏ ସମସ୍ତ ବର ତୋତେ ଦେଇ ତ ପାରଇ।।

ଅମର ବର ଦେବାକୁ ଶକ୍ତି ନାହିଁଁ ମୋର।

ଏ ବର ମାଗିଲୁ ତୁ କେମନ୍ତ ପ୍ରକାର।।

ଯେତେ ଦିନ ଯିଇଁଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ।

ଅନ୍ତକାଳେ ଯାଇ ବିଷ୍ଣୁ ପଞ୍ଜରେ ପଶିବୁ।।

ମୋହର ଏ ବ୍ରତ କରୁଥିବୁ ସବୁଦିନ।

ଲକ୍ଷ୍ମୀ-ନାରାୟଣ ପାଦେ ଥିବ ତୋର ମନ।।’

ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଓଡ଼ିଆ ଜନଜୀବନର ଅମୂଲ୍ୟ ନିଧି ଭାବେ ପରିଗଣିତ ହୋଇ ସାମାଜିକ ସଂହତିର ମହାନ ବାର୍ତ୍ତାବହ ହୋଇପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.