ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ କିଶୋର ପରିଡ଼ା: ପେସା ଶିକ୍ଷକତା, ନିଶା ରକ୍ତଦାନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ସଦର ବ୍ଲକ ମଗୁରପାଣି ଗ୍ରାମରେ ଜନ୍ମିତ ପିତା ସ୍ୱର୍ଗତଃ ପ୍ରମୋଦ ଚନ୍ଦ୍ର ପରିଡା ଓ ମାତା ଭାନୁମତୀ ପରିଡାଙ୍କ କନିଷ୍ଠ ପୁତ୍ର କିଶୋର କୁମାର ପରିଡା ପେସାରେ ଜଣେ ଶିକ୍ଷକ। ସେ କେବଳ ନିଜର କର୍ତ୍ତବ୍ୟ ଓ ଦାୟିତ୍ବବୋଧ ପିଲାଙ୍କୁ ପାଠ ପଢେଇ ଶିକ୍ଷକତାରେ ସୀମିତ ନ ରଖି ସମାଜସେବା ଏବଂ ପରିବେଶକୁ ସୁରକ୍ଷା ଦିଗରେ ମଧ୍ୟ ଆଗେଇ ଚାଲିଛନ୍ତି। କାହାଠୁ ରକ୍ତ ପାଇଁ ଖବର ପାଇବା ମାତ୍ର ନିରନ୍ତର ପ୍ରୟାସ କରନ୍ତି ଓ ଧାଇଁ ଆସନ୍ତି ଓଡିଶା ରକ୍ତ କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାକୁ। ପରିଚିତ କି ଅପରିଚିତ ସମସ୍ତେ ତାଙ୍କ ପାଇଁ ସମାନ। ନିଜେ ରକ୍ତଦାନ କରନ୍ତି ନ ହେଲେ ଅନ୍ୟମାନଙ୍କୁ ପ୍ରେରିତ କରିଥାନ୍ତି ରକ୍ତଦାନ ପାଇଁ। ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଗଲେ ଅନୁରୋଧ କରିଥାନ୍ତି ଅନୁଷ୍ଠାନ, ସଂଗଠନ, ଯୁବଗୋଷ୍ଠୀ ମାନଙ୍କୁ ରକ୍ତଦାନ ଶିବିର ଆୟୋଜନ ଓ ରକ୍ତଦାନ ପାଇଁ। ୪୯ବର୍ଷରେ ସମୁଦାୟ ୮୯ ଥର ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ଏବଂ ଶିଶୁ ଦିବସ ଦିନ ୯୦ତମ ରକ୍ତଦାନ କରିଛନ୍ତି କିଶୋର। ସେ କେବଳ ରକ୍ତଦାନରେ ସୀମିତ ନ ରହି ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା, ରକ୍ତଦାନ ଶିବିର ଆୟୋଜନ କରିବା, ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ଓ ରକ୍ତଦାନ ପାଇଁ ପ୍ରବର୍ତ୍ତାଇବାରେ ନିଜକୁ ନିୟୋଜିତ କରିଛନ୍ତି। ଏପରିକି କରୋନା ମହାମାରୀକୁ ମଧ୍ୟ ଭ୍ରୁକ୍ଷେପ ନ କରି ନିଜେ ନିୟମିତ  ରକ୍ତଦାନ କରିବା ସହ ରକ୍ତଦାନ ଶିବିରର ଆୟୋଜନ କରି ରୋଗୀଙ୍କ ମୁହଁରେ ହସ ଫୁଟେଇବା ପାଇଁ ନିରନ୍ତର ପ୍ରୟାସ କରିଥିଲେ। ଏପରିକି ରକ୍ତଦାନର ବ୍ରତୀ କିଶୋର ପିତାଙ୍କ ଦେହାନ୍ତପରେ କ୍ରିୟାକର୍ମ ନ ସରିଥିଲେ ମଧ୍ୟ ରକ୍ତର ଆବଶ୍ୟକତାକୁ ହୃଦୟଙ୍ଗମ କରି ମୋଟା ନୂଆପଡ଼ା ପଞ୍ଚାୟତରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କିଶୋର କୁମାର ପରିଡ଼ା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଶେଷକରି ୨୦୦୫ ମସିହାରେ ମାଗୁରପାଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ପାଇ ନିଜର କର୍ମମୟ ଜୀବନ ପ୍ରାରମ୍ଭ କରିଥଲେ। ସେ ଜଣେ ଦକ୍ଷ, ଦାୟିତ୍ବବାନ, କର୍ମଠ ଭାବରେ ଶିକ୍ଷା ବିଭାଗ, ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ନେସନାଲ କଲେଜ ନୂଆପଡ଼ାରେ +୨ପ୍ରାରମ୍ଭରୁ ଜାତୀୟ ସେବା ଯୋଜନାରେ ଜଣେ ସକ୍ରିୟ ସେବାକାରୀ ଭାବରେ ଅଧ୍ୟାପିକା ନର୍ମଦା ପଣ୍ଡା, ସୁଷମା ପଟ୍ଟନାୟକ, କବିତା ରଥ, ଅଧ୍ୟାପକ ଅଶୋକ ପଟ୍ଟନାୟକ, ନୃସିହଚରଣ ସାହୁ, ଦୁର୍ଲଭ ବେହେରା, ଭୁଖନ୍ ଆଜିର, ପ୍ରକାଶ ସାହୁଙ୍କ ମାର୍ଗଦର୍ଶନରେ ନିଜକୁ ସେବାକାର୍ଯ୍ୟରେ ନିୟୋଜିତ କରିଥିଲେ। ୧୯୯୩ ମସିହାରେ +୩ ପ୍ରଥମ ବାର୍ଷିକ ଛାତ୍ର ଥିବା ସମୟରେ ରକ୍ତଦାନ ପ୍ରତି ମନରେ ସେବା ମନୋଭାବ ଜାଗ୍ରତ ହୋଇଥିଲା ଏବଂ ପ୍ରିୟ ବନ୍ଧୁ ସନ୍ତୋଷ ସୂପକାରଙ୍କ ସୂଚନାକ୍ରମେ ଜୀବନର ପ୍ରଥମ ରକ୍ତଦାନ ଜଣେ ଗର୍ଭବତୀ ମହିଳାଙ୍କୁ କରିଥଲେ। ଏହା ପରଠାରୁ ତାଙ୍କର ନିୟମିତ ସ୍ବେଚ୍ଛାକୃତ ରକ୍ତଦାନ ଜାରିରହିଛି। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ସ୍ୱର୍ଗତଃ. ବାଙ୍କ ବିହାରୀ ନେଗୀ, ଡା.ଲଳିତ ମୋହନ ବିଶିଙ୍କ ମାର୍ଗଦର୍ଶନ , ଓ ନୂଆପଡ଼ାର ଅଗ୍ରଣୀ କ୍ଲବ ୟୁଥ ମାସ କ୍ଲବର ବରିଷ୍ଠ ସଦସ୍ୟ ସରୋଜ କୁମାର ସାହୁ (ଭୈରବ) କ୍ଷୀରୋଦ ପାଢ଼ୀ (ଟୁଲୁ) , ପ୍ରକାଶ ସାହୁ, ସଞ୍ଜୟ ପୁରୋହିତ, ବିଭୁଦତ୍ତ ମିଶ୍ର, ପ୍ରଦୀପ ରାଉତ, ସଞ୍ଜୟ ପଟ୍ଟନାୟକଙ୍କ ପ୍ରେରଣାରେ ରକ୍ତଦାନ ପରି ମହାନ କାର୍ଯ୍ୟକୁ ନିଜ ଜୀବନର ମୂଳଲକ୍ଷ୍ୟ ଭବେ ଗ୍ରହଣ କରିଥିଲେ। ସେ କେବଳ ନିଜକୁ ସ୍ବେଚ୍ଛାକୃତ ରକ୍ତଦାନରେ ସୀମିତ ନ ରଖି ରକ୍ତର ଆବଶ୍ୟକତା ଓ ଅଭାବ ଦୂରକରିବା ପାଇଁ ଅହରହ ପ୍ରୟାସ ଜାରି ରଖିଛନ୍ତି। ନିୟମିତ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୫୪ତମ ଜନରାଜ୍ୟ ଦିବସ ପାଳନ ଅବସରରେ, ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ୨୦୨୦ ମସିହାରେ, ନେହେରୁ ଯୁବକେନ୍ଦ୍ର ନୂଆପଡ଼ା ତରଫରୁ ୨୦୨୨ ମସିହାରେ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୦୧୯,୨୦୨୨,୨୦୨୩ ମସିହାରେ, ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ୨୦୧୯,୨୦୨୧ ମସିହାରେ, ଜିଲ୍ଲା କ୍ରିକେଟ ସଙ୍ଘ ନୂଆପଡ଼ା ତରଫରୁ ୨୦୨୧ ମସିହାରେ, ୟୁଥ୍ ମାସ କ୍ଲବ ନୂଆପଡ଼ା ତରଫରୁ ୨୦୨୨ ମସିହାରେ, ସାଧାରଣ ନାଗରିକ ମଞ୍ଚ, ଖରିଆର ରୋଡ ତରଫରୁ ୨୦୨୨, ନୂଆପଡ଼ା ଜିଲ୍ଲା ଯାଦବ ସମାଜ, ପିୟୁପିଲ୍ସ ହୋପେ ଫାଉଣ୍ଡେସନ ନୂଆପଡ଼ା, ସାମ୍ୱାଦିକ ସଙ୍ଘ ବୋଡ଼େନ, ରାମନବମୀ ସମିତି ନୂଆପଡ଼ା, ମଦର୍ ଟେରେସା ସେବା ସଂଗଠନ, ପଣ୍ଡରାପଥର, ଷ୍ଟୁଡେଣ୍ଟ୍ ରକ୍ତଦାତା ମହାସଂଘ, ଧନୁଯାତ୍ରା କମିଟି କାଣ୍ଡେତରା, ତରବୋଡ ତତଫରୁ ମଧ୍ୟ ଅନେକ ଥର ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ୨୦୦୧ ମସିହାରେ ଇଣ୍ଡିଆନ ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟତା ଗ୍ରହଣ କରିଛନ୍ତି। ଏଥିସହ ପରିବେଶ ସୁରକ୍ଷା, ବନ୍ୟା ବିପନ୍ନଙ୍କୁ ସହାୟତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ଛାତ୍ର ଜୀବନରୁ ଅନେକ ଥର ଜାତୀୟ ଏକତା ଶିବିର, ରଜ୍ୟ ଯୁବ ଉତ୍ସବ, ବେଳାଭୂମି ପଦଯାତ୍ରା କୋଣାର୍କ ଠାରୁ ବ୍ରହ୍ମପୁର, ଜାତୀୟ ଦୁଃସାହସିକ କ୍ରୀଡ଼ା, ଜଙ୍ଗଲ ସଫାରୀ, ଟ୍ରାକିଂ, ରିଭର ରାଫ୍ଟିଙ୍ଗ ତଥା ସ୍ଵାଧିନତା ସଂଗ୍ରାମର ୧୫୦ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀ ଠାରେ ଆୟୋଜିତ ପଦଯାତ୍ରାରେ କ୍ରାନ୍ତି ପାର୍କ ମିରଟ ଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇ ପ୍ରତିନିଧିତ୍ଵ କରିସାରିଛନ୍ତି। ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଇକୋ କ୍ଲବ ଗଠନ ଓ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେନୀୟ ଅବଦାନ ନିମନ୍ତେ ପ୍ରକୃତି ବନ୍ଧୁ ପୁରସ୍କାର ୨୦୦୫ ଓ ୨୦୧୮ ରେ ସମ୍ମାନୀତ ହୋଇସାରିଛନ୍ତି। ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ସେବା ପାଇଁ ଜିଲ୍ଲା ଶିକ୍ଷକ ପୁରସ୍କାର ୨୦୧୭ ମସିହାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଏବଂ ଜାତୀୟ ଉନ୍ନୟନ ଓ ସମାଜସେବା କ୍ଷେତ୍ରରେ ଉଲ୍ଲଖନୀୟ ସ୍ଵେଚ୍ଛାକୃତ ଅବଦାନ ନିମନ୍ତେ ରାଜ୍ୟ ଯୁବ ପୁରସ୍କାର ୨୦୦୦-୨୦୦୧ ମସିହା ରଜ୍ୟ ଯୁବ କଲ୍ୟାଣ ପରିଷଦ ତରଫରୁ ଗ୍ରହଣ କରିସାରିଛନ୍ତି। ଶିକ୍ଷକ ଭାବରେ କିଶୋର କୁମାର ପରିଡ଼ା ନିଜର କର୍ମମୟ ଜୀବନ ସହ ସମାଜସେବା ପ୍ରତି ପ୍ରତିବଦ୍ଧତା ଆଜି ମଧ୍ୟ ଜାରି ରହିଛି। ସେ ଜଣେ ଆଦର୍ଶ ଶିକ୍ଷକ ସାଙ୍ଗକୁ ଜଣେ ନିଷ୍ଠାବାନ, ପରୋପକାରୀ ରକ୍ତଦାତା ଓ ରକ୍ତଦାତା ପ୍ରବର୍ତ୍ତକ ଭବରେ ସୁନାମ ଅର୍ଜନ କରିଛନ୍ତି। ଶିକ୍ଷାଦାତାଙ୍କ ଶିକ୍ଷାଦାନ ସହିତ ପରିବର୍ତ୍ତିତ ରୂପ ନିଶା ରକ୍ତଦାନ ପାଇଁ ସୁନାମ ଅର୍ଜନ କରିବା ସହିତ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.