ପୁଣି ଲାଗିଲା ଗୁରୁଙ୍କ ନାମରେ କଳଙ୍କ : କୁନି କୁନି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଥାନାରେ ଅଟକ ଶିକ୍ଷକ

ଇନ୍ଦିରା ନଗର ସରକାରୀ ଉପ୍ରା ବିଦ୍ୟାଳୟର ଘଟଣା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ଆହୁରି ଉନ୍ନତ ମାନର କରିବା ପାଇଁ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ ଓ ଶାରିରୀକ ଶିକ୍ଷା ଶିକ୍ଷକ ପଦବୀରେ ୪୧୬୬ ଜଣଙ୍କୁ ନିଯୁକ୍ତ କରି ବୁଧବାର ଦିନ ନିଯୁକ୍ତ ପର୍ବ ପାଳୁଥିବା ବେଳେ ଉପାନ୍ତ ଆଦିବାସୀ ବହୁଳ ରାୟଗଡା ଜିଲ୍ଳା ସଦର ମହକୁମାରେ ଜଣେ ଶିକ୍ଷକ ନିଜ ଦାୟିତ୍ୱ ଓ କର୍ତବ୍ୟ ଭୁଲି କରିଥିବା କାର୍ଯ୍ୟକଳାପ ସମଗ୍ର ଶିକ୍ଷକ ଜାତି ଉପରେ କଳଙ୍କ ବୋଳି ଦେଇଛି। କୁନି କୁନି ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଥାନାରେ ଅଟକ ଅଛନ୍ତି। ଶିକ୍ଷକ ଜଣକ ହେଉଛନ୍ତି ଇନ୍ଦିରା ନଗର ପଂଚମ ଗଳି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମନୋରଂଜନ ନାୟକ। ତାଙ୍କ ବିରୁଦ୍ଧରେ ଛାତ୍ରୀମାନଙ୍କୁ ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଭିଭାବକ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ନାୟକ ଛାତ୍ରୀମାନଙ୍କୁ ଶ୍ରେଣୀ କବାଟ ପକାଇ ଡ୍ରେସ୍ କାଢେ କହିବା, ପାଠ ପଢାଇବା ବେଳେ କୋଳରେ ବସି ପଢେଇବା ଆଳରେ ଦେହର ସମ୍ବେଦନଶୀଳ ଅଂଙ୍ଗଗୁଡିକ ଉପରେ ହାତ ଚାଳନା କରିବା ଭଳି ଖରାପ ଛୁଆଁ ବିଷୟରେ ପୀଡିତା ଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କୁ ଜଣାଇବା ପରେ ଆଜି ସକାଳେ ପୀଡିତା ଛାତ୍ରୀମାନଙ୍କ ଅଭିଭାବକଙ୍କ ସହ ଅନ୍ୟମାନେ ବିଦ୍ୟାଳୟକୁ ଆସି ଶିକ୍ଷକ ମନୋରଂଜନ ନାୟକଙ୍କୁ ଅସଦାଚରଣ ବିଷୟରେ ପଚାରି ବୁଝିଥିଲେ। ଅଭିଭାବକଙ୍କ ପ୍ରଶ୍ନର ଉତର ଦେଇ ନ ପାରି ଶିକ୍ଷକ ଶ୍ରୀ ନାୟକ ପ୍ରଥମରୁ ହିଁ ନିଜର ଭୁଲ୍ ସ୍ୱୀକାର କରି ସମସ୍ତ ଅଭିଭାବକଙ୍କୁ କ୍ଷମା ପାର୍ଥନା କରିଥିଲେ। ଗୁରୁ ହୋଇ ରାକ୍ଷସ ଭଳି ଆଚରଣ ଦେଖାଇଥିବା ଶିକ୍ଷକ ଶ୍ରୀ ନାୟକଙ୍କ ଏପରି ଭୁଲକୁ କ୍ଷମା ନ ଦେଇ ଅଭିଭାବକମାନେ ଶିକ୍ଷକଙ୍କୁ ଚରମବାଣୀ ଶୁଣାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରମିଳା ପଣ୍ଡାଙ୍କୁ ଅଭିଭାବକମାନେ ଶିକ୍ଷକ ମନୋରଂଜନ ନାୟକଙ୍କ ବିରୁଦ୍ଧରେ ଅସଦାଚରଣ କରିଥିବା ନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଘଟଣା ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇ ଏକ କମିଟି ଗଠନ କରି ତଦନ୍ତ୍ କରାଯିବ ଏବଂ ଦୋଷୀ ବୋଲି ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ପଣ୍ଡା କହିଥିଲେ। ପରେ ଅଭିଭାବକମାନେ ଏ ନେଇ ରାୟଗଡା ଥାନା ଅଧିକାରୀଙ୍କୁ ଛାତ୍ରୀମାନଙ୍କୁ କରାଯାଇଥିବା ଅସଦାଚରଣ ବିଷୟରେ ଫୋନ ଯୋଗେ ଜଣାଇବା ପରେ ଘଟଣାସ୍ଥଳକୁ ପୋଲିସ ଆସି ଅଭିଯୁକ୍ତ ଶିକ୍ଷକ ମନୋରଂଜନ ନାୟକଙ୍କୁ ପୋଲିସ ଗାଡିରେ ଥାନାକୁ ନେଇ ଅଧିକ ପଚରାଉଚୁରା କରିଥିବା ଜଣାପଡିଛି। ତେବେ କୈାଣସି ଛାତ୍ରୀଙ୍କୁ ଅସଦାଚରଣ ତଥା ଦୁର୍ବ୍ୟବହାର କରି ନ ଥିବା ନେଇ ଶିକ୍ଷକ ଶ୍ରୀ ନାୟକ ପ୍ରକାଶ କରିବା ସହ ଅଭିଭାବକ ଓ ଛାତ୍ରୀମାନେ କରିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତିହୀନ ଓ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୪୪ ବାଳକ ଓ ୧୫୮ଜଣ ବାଳିକା ମୋଟ ୨୯୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୦ଜଣ ଶିକ୍ଷୟତ୍ରୀ ଏବଂ ୪ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଉକ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନେ ଚାକିରିରୁ ଅବସର ନେଲେ ଛାତ୍ରଛାତ୍ରୀମାନେ କାନ୍ଦି କାନ୍ଦି ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଉଥିବା ବେଳେ ଗତ ଡିସେମ୍ବର ମାସରେ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶ୍ରୀ ନାୟକ ଭଳି ଶିକ୍ଷକଙ୍କ ଏପରି କାର୍ଯ୍ୟକଳାପ ଛାତ୍ରଛାତ୍ରୀମାନଙ୍କ ଉପରେ କି ପ୍ରକାର ଗୁରୁଭକ୍ତି ଶିଖାଇବ ତାହା ବିଦ୍ୟାଳୟର ସୁସ୍ଥ ମାନସିକତା ପରିବେଶ ଉପରେ ନିର୍ଭର କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.