ରାୟଗଡା ଅବକାରୀ ବିଭାଗ ଦ୍ୱାରା ୪୨କେଜି ଗଂଜେଇ ଜବତ, ୨ଗିରଫ

୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ଜବତ ଗଂଜେଇ ଦିଲ୍ଳୀକୁ ହୋଇଥାନ୍ତା ଚୋରା ଚାଲାଣ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଅବକାରୀ ଜିଲ୍ଳାରେ ଗଂଜେଇ ଭଳି ନିଶାଦ୍ରବ୍ୟର ଅବାଧ ଚୋରା ଚାଲାଣକୁ ରୋକିବା ପାଇଁ ଜିଲ୍ଳା ଅବକାରୀ ବିଭାଗ ସବୁବେଳେ ତତ୍ପରତା ଦେଖାଇ ଆସୁଛି। ଫଳରେ ଅନେକ ସମୟରେ ରାୟଗଡା ଜିଲ୍ଳାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର ଗଂଜେଇକୁ ଜବତ କରିବାରେ ଏବଂ ଅଭିଯୁକ୍ତକୁ ଗିରଫ କରିବାରେ ବିଭାଗ ସଫଳତା ପାଇପାରିଛି। ଏହି କ୍ରମରେ ମଙ୍ଗଳବାର ଦିନ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ଜିଲ୍ଳା ଅବକାରୀ ବିଭାଗ ଅଧୀକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସଦର ଥାନା ନିରୀକ୍ଷକ ସୀମାକିରଣ ବେକ୍‌ଙ୍କ ନେତୃତ୍ୱରେ ସଦର ଥାନା ଉପନିରୀକ୍ଷକ ସଂଜୟ କୁମାର ପ୍ରଧାନ, ସହ ଉପ ନିରୀକ୍ଷକ ରାଶି ନାୟକଙ୍କ ସମେତ ଅନ୍ୟ ଷ୍ଟାଫ୍‌ମାନେ ରାୟଗଡା ରେଳବାଇ ଷ୍ଟେସନ ଛକ ନିକଟରେ ଗଂଜେଇ ଚୋରା ଚାଲାଣକୁ ନେଇ ଚଢାଉ କରିଥିଲେ। ଉକ୍ତ ସମୟରେ ସୁଜୟ ସରକାର (୨୯) ଓ ଶେଖ୍ ଆର୍ସଫ୍ (୨୪)ନାମକ ଦୁଇଜଣ ଯୁବକଙ୍କ ଠାରେ ବ୍ୟାଗକୁ ଯାଂଚ କରାଯାଇଥିବା ବେଳେ ମୋଟ ୪୨କେଜି ୨୬୦ଗ୍ରାମର ଗଂଜେଇ ଜବତ ହୋଇଥିଲା। ଅଭିଯୁକ୍ତ ସୁଜୟ ଓ ଶେଖ୍ ଆର୍ସଫଙ୍କ ଘର ପଶ୍ଛିମବଙ୍ଗରେ ବୋଲି ଜଣାପଡିଥିବା ବେଳେ ଜବତ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୪ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଜବତ ଗଂଜେଇ ରାୟଗଡା ଜିଲ୍ଳାରୁ ଦିଲ୍ଳୀକୁ ଚୋରା ଚାଲାଣ କରାଯାଉଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡିଥିବା ବେଳେ ଉଭୟ ଆସାମୀ ଦ୍ୱୟଙ୍କୁ ମାନ୍ୟବର ଅଦାଲତାରେ ହାଜର କରାଯାଇ ହାଜତକୁ ପଠାଯାଇଥିବା ନେଇ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି। ଏହି ଚଢାଉ ବେଳେ ସ୍ଥାନୀୟ ରେଳବାଇ ପୋଲିସ ସୁରକ୍ଷା ବଳ ଏବଂ ଜିଲ୍ଳା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଅଧିକାରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ। ପ୍ରକାଶ ଥାଉ କି,ରାଜ୍ୟ ଅବକାରୀ ଆୟୁକ୍ତ ନରସିଂହ ଭୋଳ, ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ଏବଂ ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳାରେ ଅବାଧ ଗଂଜେଇ ଚୋରା ଚାଲାଣ,ବେଆଇନ ଭାବେ ଦେଶୀ ରନ୍ଧାମଦ ବିକ୍ରି ଓ ପ୍ରସ୍ତୁତ ଭଳି ଅନେକ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ଜିଲ୍ଳା ଅବକାରୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଜ ଦାୟିତ୍ୱ ଓ କର୍ତବ୍ୟ ପାଳନ କରି ଆସୁଥିବାରୁ ଅନେକ ସମୟରେ ସଫଳତା ମିଳି ପାରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.