T-20 ବିଶ୍ୱକପରେ ଭାରତର ଏହି ଖେଳାଳିଙ୍କ ଖେଳିବା ସମ୍ଭାବନା କ୍ଷୀଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୪ ଜୁନରେ ଟି୨୦ ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ । ଭାରତୀୟ ଟିମ ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଇପିଏଲରେ ପ୍ରଦର୍ଶନକୁ ଭିତି କରି ଦଳ ଚୟନ କରିବା ପାଇଁ ବିସିସିଆଇ ଚୟନ କମିଟି ଯୋଜନା କରିଛନ୍ତି । ତେବେ ଟି୨୦ରେ କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଭାରତର ଏହି ଖେଳାଳିଙ୍କ ଟିମରେ ସାମିଲ ହେବା ସମ୍ଭାବନା କ୍ଷୀଣ ରହିଛି । ରିତୁରାଜ ଗାଏକ୍ୱାଡ ଟି୨୦ରେ ଓପନିଂରେ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ରୋହିତ ଶର୍ମା ଓ ବିରାଟ କୋହଲି ଯଦି ଚୂଡାନ୍ତ ଦଳରେ ସ୍ଥାନ ପାଇବେ ତେବେ ତାଙ୍କର ଖେଳିବା ସମ୍ଭାବନା କମ ରହିବ । ସେହିପରି ଶିବମ ଦୁବେଙ୍କ ଚମତ୍କାର ପ୍ରଦର୍ଶନ ଏବେ ତିଳକ ବର୍ମାଙ୍କ ରାସ୍ତା ଏକପ୍ରକାର ବନ୍ଦ କରିଦେଇଛି । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିବାକୁ ଥିବାରୁ ତିଳକ ଟିମରେ ସ୍ଥାନ ପାଇବା କଷ୍ଟକର ହୋଇପଡିବ । ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଶୁଭମନ ଗିଲ କିନ୍ତୁ ଟି୨୦ରେ ସେଭଳି କିଛି କମାଲ କରିପାରି ନାହାନ୍ତି । ତାଙ୍କ ବଦଳରେ ଯଶସ୍ୱୀ ଜୈସୱାଲଙ୍କୁ ସୁଯୋଗ ଦିଆଯିବ ସ୍ପଷ୍ଟ କରୁଛି ଯେ, ଗିଲ ଏବେ ଚୟନ କମିଟିଙ୍କ ବିଶ୍ୱାସ ହରାଇ ସାରିଛନ୍ତି । କେଏଲ ରାହୁଲ ପ୍ରଭାବିତ ପ୍ରଦର୍ଶନ ଜାରି ରଖିଥିଲେ ମଧ୍ୟ ଟି୨୦ରେ ସେ କେଉଁ ସ୍ଥାନରେ ଖେଳିବ ତାହା ସ୍ପଷ୍ଟ ହୋଇପାରୁନି । ୱିକେଟକିପର ଭାବେ ଦଳରେ ଅନେକ ବିକଳ୍ପ ରହିଛି । ଈଶାନ କିଶାନ ୱିକେଟ କିପିଂ ଓ ଟପ ଅର୍ଡରରେ ବ୍ୟାଟିଂ କରୁଥିବାରୁ ତାଙ୍କ ଖେଳିବା ସମ୍ଭାବନା ମଧ୍ୟ କମ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.