ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଆନ୍ଦିଝରଣ ନିକଟସ୍ଥ ଜଙ୍ଗଲରୁ ବୁଧବାର ଜଣେ ବ୍ୟକ୍ତିଙ୍କର ଗଲିତ ଶବ ଆମପାଣି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ମୃତକ ଜଣକ କୋକସରା ଥାନା ଅଧିନ ବାଙ୍କିମୁଣ୍ଡା ଗ୍ରାମର ସ୍ବର୍ଗତ କୃପା ପୁଝାରୀଙ୍କ ପୁଅ ଗୌରାଙ୍ଗ ପୁଝାରୀ (୫୦) ବୋଲି ସୂଚନା ମିଳିଛି। ସୂଚନା ମତେ, ଗୌରାଙ୍ଗଙ୍କ ମାନସିକ ସ୍ଥିତି ଠିକ୍ ନଥିବା ବେଳେ ସେ ସପ୍ତାହେ ଆଗରୁ ଘରୁ ବାହାରି ଯାଇଥିଲେ। ଏନେଇ ପରିବାର ଲୋକ କୋକସରା ଥାନାରେ ଏକ ନିଖୋଜ ମାମଲା ଦେଇଥିଲେ। ହେଲେ ଆଜି ସକାଳୁ ଆନ୍ଦିଝରଣ ନିକଟବର୍ତ୍ତୀ ଜଙ୍ଗଲରେ ପ୍ରବଳ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ସେଠାକୁ ଦେଖିବାକୁ ଯାଇଥିଲେ। ତେବେ ଏକ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇ ଆମପାଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ପରିବାର ଲୋକଙ୍କୁ ଖବର ଦେବାସହ ଶବ ଚିହ୍ନଟ କରିଥିଲେ। ଦୀର୍ଘ ସପ୍ତାହେ ହେବ ଗଛରେ ଝୁଲି ରହି ଶବ ସଡିଯାଇ ଦୁର୍ଗନ୍ଧ ବାହାରୁଥିଲା। ତେବେ ଶବ ଉଦ୍ଧାର ପରେ ବ୍ୟବଛେଦ ପାଇଁ ଡାକ୍ତରଖାନା ନେବା ସମ୍ଭବ ହୋଇ ନଥିଲା, ଫଳରେ ଘଟଣାସ୍ଥଳରେ ହିଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି। ଏନେଇ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଏସ୍ଆଇ ରାଜେଶ ପରିଡ଼ା ସୁଚନା ଦେଇଛନ୍ତି।