ଗୋଧନେଶ୍ୱର ଠାରେ ମହାନଦୀରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଜୀବନରେଖା କୁହାଯାଉଥିବା ମହାନଦୀ ଉପରେ ବୀରମହାରାଜପୁର ବ୍ଲକ ଜଟେସିଙ୍ଘା ପଞ୍ଚାୟତର ଗୋଧନେଶ୍ବର ଠାରେ ହେବାକୁ ଥିବା ଅନ୍ତନଦୀ ଜଳାଶୟର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଟେସିଙ୍ଘା ହାଇସ୍କୁଲ ପ୍ରାଙ୍ଗଣ ଅନୁଷ୍ଠିତ ଏକ ବିରାଟ ସାଧାରଣ ସଭାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟ ନାରାୟଣ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ବିନୀ ମେହେର ପ୍ରମୁଖ ଯୋଗଦେଇଥିଲେ। ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଏବଂ ବିଧାୟକ ପଦ୍ମନାଭ ବେହେରା ଏହି ପ୍ରକଳ୍ପ ରାଜ୍ୟ ସରକାର ମଞ୍ଜୁର କରିଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ପ୍ରକଳ୍ପ ଦ୍ବାରା ବିଶେଷ ଭାବରେ ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କୃଷକ, ମତ୍ସ୍ୟଜିବି, ପଶୁପାଳକ ଉପକୃତ ହେବା ସହିତ ବନ୍ୟା କୁ ମଧ୍ୟ ନିୟନ୍ତ୍ରିତ କରାଯାଇ ପାରିବ ବୋଲି କହିଥିଲେ। ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୌରହିତ୍ଯରେ ଓ ଫାଇଭ୍ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନୁ ଗର୍ଗ ପ୍ରକଳ୍ପ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅନ୍ତନଦୀ ଜଳାଶୟ ଯୋଜନାରେ ନଦୀ ଭିତରେ ଜଳ ସଂରକ୍ଷଣ ଯୋଜନା ପାଇଁ ରାଜ୍ୟ ସରକାର ୧୦୨୪କୋଟି ୮୧ ଲକ୍ଷ ଟଙ୍କା ମଞ୍ଜୁରୀ କରିଛନ୍ତି ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିବା ସହିତ ସରକାର ସବୁବେଳେ ଚାଷୀ, ମହିଳା ଓ ସମସ୍ତ ଜନ ସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଦୀର୍ଘ ମିଆଦୀ ଯୋଜନା କରୁଛନ୍ତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର କୃଷି ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ବିବଶ୍ବତି ପଣ୍ଡା ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ଅଞ୍ଚଳବାସୀ ଙ୍କ ତରଫରୁ କୃତଜ୍ଞତା ଜଣାଇବା ସହିତ ଏହି ପ୍ରକଳ୍ପ ମାଧ୍ୟମରେ ଚାଷୀ , ମାଛଚାଷୀ ମାନଙ୍କ ସହିତ ଇକୋ ଟୁରିଜିମ୍ ବିକଶିତ ହେବ ଏବଂ ଅଞ୍ଚଳରେ ଦାଦନ ସଂଖ୍ୟା ରହିବ ନାହିଁ ବୋଲି କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ବିନା ବିସ୍ଥାପନ ଏବଂ ବିନା ଜମି ଅଧିଗ୍ରହଣ ରେ କାର୍ୟକାରୀ ହେବ। ଏହାଦ୍ବାରା ଉଭୟ ଜିଲ୍ଲାର ପାନୀୟ ଜଳ ସମସ୍ଯା ସମାଧାନ ସହିତ ଉଠାଜଳସେଚନ ମାଧ୍ୟମରେ ହଜାର ହଜାର ଚାଷୀ ଉପକୃତ ହେବେ ଏବଂ ବଢି ଓ ମରୁଡ଼ିର ସମାସ୍ୟା ରହିବ ନାହିଁ। ଗୋଧନେଶ୍ବର ପ୍ରକଳ୍ପ ରେ ୭୬ ଟି ଫାଟକ ନିର୍ମାଣ କରିବାର ବ୍ୟବସ୍ଥା ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ୩୦ଟି ଗାଁର କୃଷକ ଉପକୃତ ହେବେ।ଜଳାଶୟ ର ହାରାହାରି ଜଳପତ୍ତନ ୪ ମିଟର ରହୁ ଥିବାରୁ ଦୁଇଟି ମେଗା ଉଠାଜଳସେଚନ ପ୍ରକଳ୍ପ ସହିତ ଶତାଧିକ ପ୍ରକଳ୍ପ ପାଇଁ ଜଳର ଅସୁବିଧା ରହିବ ନାହିଁ ବୋଲି ଜଳ ସେଚନ ବିଭାଗ ତରଫରୁ ସୁଚନା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ, ତହସିଲଦାର ଅମୃତ ଲାଲ୍ ବେହେରା, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ବୀରମହାରାଜପୁର ବିଜେଡ଼ି ବ୍ଳକ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ, ଜିଲ୍ଲାପରିଷଦ ସଭ୍ୟା ଚନ୍ଦ୍ର କାନ୍ତି ଦନ୍ତା, ସରପଞ୍ଚ ସଂଘ ସଭାପତି ଶ୍ରୀୟା କର୍ମୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସମେତ ପାଞ୍ଚ ହଜାର ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏହି ପ୍ରକଳ୍ପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପରେ ସମଗ୍ର ଅଞ୍ଚଳବାସୀ ଙ୍କ ମନରେ ଆନନ୍ଦ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.