ଜୟପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିରର ଉଦ୍ଘାଟିତ ହୋଇଯାଇଛି । ସୋମବାର ଅପରାହ୍ନ ୩ ଘଣ୍ଟା ସମୟରେ କଲେଜ ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଧ୍ୟାପକ ଦୁର୍ଗାପ୍ରସାଦ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିବିରଟିକୁ ଉଦ୍ଘାଟନ କରି ଶୃଙ୍ଖଳିତ ଭାବରେ ଛାତ୍ରୀ ମାନେ ଆତ୍ମରକ୍ଷା କରିବାର କୌଶଳ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରିନ୍‌ସିପାଲ ଭୁବନ ମୋହନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶାରିରୀକ ଶିକ୍ଷକ ଅଶୋକ କୁମାର ପଣ୍ଡା, ଅଧ୍ୟାପକ ପ୍ରବୀଣ ବେହେରା, ଏସପି ବାରାଣସୀ, ପ୍ରଦ୍ୟୁମ୍ନ ମିଶ୍ର ଏବଂ ଜଳଧର ସାହୁ ଯୋଗଦାନ କରି ଆଧୁନିକ ଯୁଗରେ ଛାତ୍ରଛାତ୍ରୀଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳ କେତେ ଗୁରୁତ୍ୱପୂର୍ଣ୍ଣ ସେବିଷୟରେ ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ଶ୍ରୀ ଠାକୁର ଅତିଥିଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ସ୍ୱାଗତ ଭାଷଣ ମଧ୍ୟ ପ୍ରଦାନ କରିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ପାଇଁ ରିସୋର୍ସ ପର୍ସନ ଭାବରେ ଭୂବନେଶ୍ୱରରୁ ତାଲିମ୍ ନେଇ ଆସିଥିବା ଜୟନ୍ତୀ ଭୋଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ସୋମବାର ଉଦ୍ଘାଟିତ ହୋଇଥିବା ଏହି ଶିବିରଟି ଡିସେମ୍ବ ୨୨ ରୁ ଫେବୃୟାରୀ ୧ ଯାଏଁ ଚାଲିବ ଓ ୧ ତାରିଖ ଦିନ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଠାକୁର ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.