ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ରବିବାର ଥୁଆମୂଳ ଗ୍ରାମ ପଞ୍ଚାୟତର ସରପଞ୍ଚ ବଳଭଦ୍ର ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଟୁନି ଖୋସ୍ଲା (ଦୁରିଆ) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ଲାଞ୍ଜିଗଡ ବିଧାୟକଙ୍କ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ସମିତି ସଭ୍ୟା ଶ୍ରୀମତୀ ରାଣୀ ନାଏକ, ବ୍ଲକ କନିଷ୍ଠ ଯନ୍ତ୍ରୀ ମଳୟ ସତପଥି, ବ୍ଲକ ବିଜେଡି ସଭାପତି କପିଳାସ ନାଏକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ଗ୍ରାମ ପଞ୍ଚାୟତର ଆଦର୍ଶ ଶିକ୍ଷକ, ଅଙ୍ଗନବାଡି, ଆଶାକର୍ମୀ ଏବଂ ଉକ୍ତ ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯେଉଁ ମାନଙ୍କ କି ଏହି ଅଞ୍ଚଳ ପାଇଁ ଅବଦାନ ରହିଛି ସେମାନଙ୍କୁ ସମ୍ବର୍ଦ୍ଧନା ସ୍ବରୁପ ମାନପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୋପାଳପୁର ଉଚ୍ଚ ବିଦ୍ୟାଳୟ ଏବଂ ଗ୍ରାମବିକାଶ ଶିକ୍ଷାନିକେତନର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ ପରିବେଷଣ କରିଥିଲେ।
ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇଥିବା ବେଳେ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ଲୋକଙ୍କୁ ବୁଝା ଯାଇଥିଲା। ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ଲୋକଙ୍କ ସମାଗମ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ମର୍ଦ୍ଦିଗୁଡା ବିଦ୍ୟାଳୟର ଶିକ୍ଷକ ମଥିଲାଲ୍ ବାଗ। ଥୁଆମୂଳ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋମଦତ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳତାର ସହ ସହଯୋଗ କରିଥିଲେ।