ରାୟଗଡା ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦଯାପନୀ ଉତ୍ସବ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାୟଗଡା ଠାରେ ଅନୁଷ୍ଠିତ ହୋଇଯାଇଛି। ସକାଳ ଦଶ ଘଟିକା ସମୟରେ ଶ୍ରୀଜଗନ୍ନାଥ ଏବଂ ଓଡ଼ିଆ ସାହିତ୍ୟର ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଯୋଗ ଦେଇ ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ଓ ଅଗ୍ରଗତି ଦିଗରେ ମହାମନୀଷୀଙ୍କ ଅବଦାନକୁ ନମନ କରିବା ସହ ଓଡିଶା ସରକାରଙ୍କ ଏତାଦୃଶ ବୈପ୍ଳବିକ ଚିନ୍ତାଧାରାକୁ ଭୂୟସୀ ପ୍ରସଂଶା କରିଥିଲେ ।

ଯୁବପିଢି ଏହାର ଅଗ୍ରଗତି ନିମନ୍ତେ ଚେଷ୍ଠିତ ହେବା ପାଇଁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡ଼. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ସାମ୍ପ୍ରତିକ ସ୍ଥିତି ଓ ଆଗାମୀ ଦିନର ଅସ୍ମିତା ବିଷୟରେ ଆଲୋଚନା କରି ସାହିତ୍ୟର ବିକାଶଶୀଳତା, ରୋଜଗାରକ୍ଷମତା ଓ ଗଣତାନ୍ତ୍ରିକତା ଦିଗରେ କାର୍ଯ୍ୟକ୍ରମ ହେବା ବିଧେୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ: ବବିଳତା ସରାଫ, ହିନ୍ଦୀ ପ୍ରଧ୍ୟାପକ ଡ: ଭଗବାନ ବିଶ୍ଵାଳ, ରାୟଗଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା କୁମାରୀ କର,ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ ।

ଅତିରିକ୍ତ ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ସଭାପତିତ୍ଵ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଓ ଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ଅପରାହ୍ଣରେ ପୁରଷ୍କାର ବଣ୍ଟନ କରାଯାଇଥିଲା। ବିଭିନ୍ନ ବ୍ଳକ ତରଫରୁ ଷ୍ଟଲ୍ ମାଧ୍ୟମରେ ଭାଷା ଓ ସାହିତ୍ୟ କ୍ଷେତ୍ରରେ ସଚେତନତା ସୃଷ୍ଟି କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.