ନୂଆପଡ଼ାରେ ପୁଣି  ସ୍ଥିତି ଜାହିର କଲା ଲାଲବାହିନୀ 

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟରଣ୍ୟ ସ୍ଥିତ ବରକୋଟ ସିଆରପିଏଫ କ୍ୟାମ୍ପ ପାଖ ଜଙ୍ଗଲରେ କୋମ୍ବିଂ ଯାଉଥିବା ବେଳେ ଯବାନ ଓ ଲାଲବାହିନୀଙ୍କ ମଧ୍ୟରେ ୫ ରାଉଣ୍ଡ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି। ୫ ରାଉଣ୍ଡ ଗୁଳି ବିନିମୟ ପରେ ମାଓବାଦୀ ମାନେ ଜଙ୍ଗଲ ମଧ୍ୟକୁ ଛାତ୍ରଭଙ୍ଗ ଦେଇଛନ୍ତି। ଆଖପାଖ ଅଂଚଳରେ ୨୧୬ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ପ୍ରକାଶ ଯେ, ସିଆରପିଏଫ କ୍ୟାମ୍ପରୁ ମାତ୍ର ୨.୫ କିମି ଦୂରରେ ଥିବା ଡୋଙ୍ଗର ବାବା ମନ୍ଦିର ଠାରେ ଆଜି ସକାଳ ୬ ଟା ସମୟରେ ସିଆରପିଏଫ ଯବାନ ଅଭୟରଣ୍ୟକୁ କୋମ୍ବିଂ ପାଇଁ ଯାଉଥିବା ବେଳେ ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା। ଏହା ପୂର୍ବରୁ ନୂଆପଡା ବ୍ଲକ କେରମେଲୀ ପଂଚାୟତ ଗୋଲାବନ୍ଧ ଠାରେ କିଛି ମାସ ପୂର୍ବରୁ ମଧ୍ୟ ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିଥିଲେ। ଗୋଲାବନ୍ଧ ଫରେଷ୍ଟ ବିଟ ହାଉସକୁ ମାଓବାଦୀମାନେ ବିସ୍ପୋରଣ କରି ସେଠାରେ ଏକ ଜେସିବିକୁ ନିଆଁ ଲଗାଇ ଦେଇଥିଲେ। ପୁଣି ଆଜି ସିଆରପିଏଫ କ୍ୟାମ୍ପ ପାଖ ଜଙ୍ଗଲ ରାସ୍ତାରେ ୫ ରାଉଣ୍ଡ ଗୁଳି ବିନିମୟ ହୋଇଛି। ତେବେ ପଡୋଶୀ ଛତିଶଗଡରେ ଲଗାତାର କୋମ୍ବିଂ ଅପରେସନ ଜାରି ରହୁଛି। ବିଭିନ୍ନ ସମୟରେ ଛତିଶଗଡ ଯବାନଙ୍କ ଦ୍ୱାରା ମାଓ କ୍ୟାମ୍ପ ଠାବ କରାଯାଉଥିବା ବେଳେ କିଛି ଦିନ ପୂର୍ବରୁ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ୨ ରୁ ୩ ମାଓବାଦୀ ମୃତ୍ୟୁ ହୋଇଥିବା ସୂଚନା ରହିଥିଲା। ତେବେ ନୂଆପଡା ଅଂଚଳରେ ମାଓବାଦୀଙ୍କ ସକ୍ରିୟ ହେବା ବନବାସୀଙ୍କ ସୁରକ୍ଷାରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ପୋଲିସ ପ୍ରଶାସନ ଏହାକୁ କିପରି ଦେଖୁଚି ତାହା ବୁଦ୍ଧିଜୀବୀ ଓ ଜନ ସାଧାରଣ ମହଲରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.