ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ଜାତୀୟ ବିଜ୍ଞାନ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଜି ଜାତୀୟ ବିଜ୍ଞାନ ଦିବସ -୨୦୨୪ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଚଳିତବର୍ଷର ନିର୍ଦ୍ଧାରିତ ବିଷୟବସ୍ତୁ ବା ଥିମ୍ ‘ବିକଶିତ ଭାରତ ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା’ ସଂପର୍କିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ଜି ବି ଏନ୍ ଚଇନି ଯୋଗଦେଇ ନିଜ ଉଦବୋଧନରେ କହିଥିଲେ,

Omkar Vasthu
Omkar Vasthu

ବିଜ୍ଞାନର ମୂଳ ହେଉଛି ସ୍ଵାଧୀନ ଚିନ୍ତାଧାରା, ପରିଶ୍ରମ, କିନ୍ତୁ ଉପକରଣ ନୁହେଁ । ଆମକୁ ମାତୃଭାଷାରେ ବିଜ୍ଞାନ ଶିଖିବାକୁ ପଡିବ, ନଚେତ୍ ବିଜ୍ଞାନ ଏକ ବିରଳତମ କାର୍ଯ୍ୟକଳାପରେ ପରିଣତ ହେବ। ବିଜ୍ଞାନ ବିଷୟ ଏକ ଲାବୋରେଟୋରୀର ଚାରୋଟି କାନ୍ଥରେ ସୀମିତ ରହିବା ଉଚିତ୍ ନୁହେଁ, ଏହା ଆମ ଜୀବନର ସମସ୍ତ ଦିଗକୁ ଆଧାର କରି ଯିବା ଉଚିତ୍ । ଏଥିସହ ଆଇ.ସି.ଏମ.ଆର, ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର- ଭୁବନେଶ୍ବର ବୈଜ୍ଞାନିକ ଡକ୍ଟର ମନୋରଞ୍ଜନ ରଞ୍ଜିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏ ବର୍ଷର ବିଜ୍ଞାନ ଦିବସର ସ୍ବାତନ୍ତ୍ର୍ଯ ସଂପର୍କରେ ଆଲୋକପାତ କରିଥିଲେ। ସେ ମୁଖ୍ଯତଃ ଗବେଷଣାରତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ସମସ୍ୟାକୁ ନିଜ ଗବେଷଣାର ବିଷୟ ଭାବରେ ଅତ୍ୟନ୍ତ ଯତ୍ନର ସହ ଚୟନ କରିବାକୁ ଉପଦେଶ ଦେଇଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ବିଭିନ୍ନ ବିଭାଗ ମଧ୍ୟରେ ଗବେଷଣାତ୍ମକ ସହଯୋଗର ଆବଶ୍ଯକତା ରହିଛି ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ବିଜ୍ଞାନ ଦିବସ ସମ୍ମାନାର୍ଥେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇ ସମସ୍ତ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଫଳତା, ଆଗ୍ରହ, ଅନୁସନ୍ଧାନ କାର୍ଯ୍ୟକଳାପ ଏବଂ ଅଗ୍ରଗତି ର ସବିଶେଷ ବିବରଣୀ ଉପସ୍ଥାପନା ଗୁଡିକର ପ୍ରଦର୍ଶନ କରାଯାଇଥିଲା। ଆମନ୍ତ୍ରିତ ଅତିଥିମାନେ ସଂପୂର୍ଣ୍ଣ ପ୍ରଦର୍ଶିତ ତଥ୍ଯ ପର୍ଯ୍ୟବେକ୍ଷଣ କରିବା ସହ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଏହା ସମ୍ଵନ୍ଧରେ ଆଲୋଚନା ମଧ୍ଯ କରିଥିଲେ।

Udyog Nursery
Udyogi Nursery

ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏହି ଦିବସ ପାଳନରେ ଅଂଶଗ୍ରହଣ କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ବିବେକାନନ୍ଦ ନାୟକ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲ କରିଥିବା ବେଳେ ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.