ବାଲେଶ୍ଵରରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଏକଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ପର୍କିତ ସୂଚନା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ମୋବାଇଲ ଆପ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଗତ ୨୭ ତାରିଖ ଦିନ ବାଲେଶ୍ୱର ଜିଲ୍ଲାରେ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲା ସ୍ତରୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ାକ୍ତର ଦୁଲାଳସେନ ଜଗଦେବ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଭିନ୍ନ ବିଭାଗର ଜିଲ୍ଲା ସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କରେ ଚର୍ଚ୍ଚା କରିଥିଲେ I

ଗ୍ରୀଷ୍ମପ୍ରବାହ ଯୋଗୁ ମନୁଷ୍ୟ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବା ସହିତ ଗୃହପାଳିତ ପଶୁ ଏବଂ ଚାଷବାସ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ I ଅଂଶୁଘାତରେ ଜୀବନ ହାନି ମଧ୍ୟ ହୋଇଥାଏ ତେଣୁ ଏହାର ସଠିକ ମୁକାବିଲା ଏବଂ ଅଂଶୁଘାତରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ଆଜିର କର୍ମଶାଳାରେ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା I

ବୈଠକରେ ଉପସ୍ଥିତ ବିଡ଼ିଓ, ତହସିଲଦାର, ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନଙ୍କୁ ଏସମ୍ପର୍କରେ ସମଗ୍ର ଜିଲ୍ଲାରେ ଯଥେଷ୍ଠ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଥିଲା I ସେହିପରି ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ପର୍କରେ ସୂଚନା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସତର୍କ ମୋବାଇଲ ଆପ୍ ସମ୍ବନ୍ଧରେ କିଭଳି ଅଧିକରୁ ଅଧିକ ଲୋକ ସଚେତ ହୋଇପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା I ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହା ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଇଥିଲା I

କର୍ମଶାଳାରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା ଗ୍ରୀଷ୍ମ ପ୍ରବାହ ମୁକାବିଲା ଯୋଜନା ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ I ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପିଡେମୋଲୋଜିଷ୍ଟ ଡ଼ାକ୍ତର ଅରୂପ ଅଭିଷେକ ଗ୍ରୀଷ୍ମପ୍ରବାହ ଜନିତ ମାନସିକ ଓ ଶାରୀରିକ ଚାପ ପରିଚାଳନା ଉପରେ ତଥ୍ୟଭିତ୍ତିକ ରିପୋର୍ଟ ଉପସ୍ଥାପନା ସହ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ I

ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.