ଆଇପିଏଲ ୨୦୨୪ ପାଇଁ ରିଷଭ ପନ୍ତ ଫିଟ ଘୋଷିତ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ରିଷଭ ପନ୍ତଙ୍କୁ ବିସିସିଆଇ ଫିଟ ଘୋଷିତ କରିଛି । ଫଳରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ସେ ସମସ୍ତ ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ସୋମବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ମଧ୍ୟ ଏ ସମ୍ପର୍କରେ ସବୁଜ ସଙ୍କେତ ଦେଇଥିଲେ । ସେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଆଇପିଏଲରେ ଭଲ ଖେଳିବେ ତେବେ ଟି୨୦ ବିଶ୍ୱକପ ଟିମରେ ସାମିଲ ହେବେ କି ନାହିଁ ତାହା ସ୍ଥିର କରାଯିବ । ଅପରପକ୍ଷରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ୨ଟି ମୁକାବିଲା ଖେଳି ନ ପାରନ୍ତି । ସେ ଏବେ ଏନସିଏରେ ପ୍ରତ୍ୟକ୍ଷ ତତ୍ୱାବଧନରେ ରହିଛନ୍ତି । ଗତ ବର୍ଷ ଡିସେମ୍ବରଠାରୁ ସେ କ୍ରିକେଟଠାରୁ ଦୂରେଇ ରହିଛନ୍ତି । ଜର୍ମାନୀରେ ତାଙ୍କ ହାର୍ଣ୍ଣିଆ ଅପେରେଶନ ହୋଇଥିଲା । ଏନସିଏ ଆବଶ୍ୟକ ପରୀକ୍ଷଣ କରିବା ପରେ ରିପୋର୍ଟ ଦେବ ବୋଲି ଜଣାପଡିଛି । ସେ ଏ ପର୍ଯ୍ୟନ୍ତ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରି ନାହାନ୍ତି । ଏହା ପରେ ଯାହା କିଛି ସ୍ପଷ୍ଟ ହେବ । ଏବେ ବି ମୁମ୍ବାଇର ପ୍ରଥମ ମ୍ୟାଚ ପାଇଁ ହାତରେ ଆଉ ୧୨ ଦିନ ଥିବାରୁ ସୂର୍ଯ୍ୟକୁମାର ଫିଟ ହେବା ସମ୍ଭାବନା ମଧ୍ୟ ରହୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.