ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମାଜସେବୀ ସଜ୍ଜନ ଅଗ୍ରୱାଲଙ୍କ ଅକାଳ ବିୟୋଗରେ ରୁପ୍ରାରୋଡ ସମେତ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡର ବାସିନ୍ଦା ସ୍ବର୍ଗତ ଅଗ୍ରୱାଲ ନିଜ ବ୍ୟବସାୟ ବୁଝିବା ସହ ଅସହାୟ ଜନତାଙ୍କ ସେବା କରି ଆସୁଥିଲେ। କରୋନା ମୃତକଙ୍କ ଶବ ସତ୍କାର କରିବା ଠାରୁ ବିଭିନ୍ନ ରୋଗରେ କଷ୍ଟ ଭୋଗୁଥିବା ରୋଗୀଙ୍କ ନିଃଶୁଳ୍କ ଆୟୁର୍ବେଦିକ ଉପଚାର କରି ଔଷଧ ପତ୍ର ପ୍ରଦାନ କରି ମାନବ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ନେଇଥିଲେ। ସମାଜସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସେ ଦେବଗିରି ସମାଜସେବା ସମ୍ମାନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ। ଜଣେ ମେଳାପି ତଥା ଶାନ୍ତ ସରଳ ସ୍ବଭାବର ବ୍ୟକ୍ତି ସଜ୍ଜନ ଶାରିରୀକ ଅସୁସ୍ଥତା ଯୋଗୁଁ ଗତ ୯ ମାସ ଧରି ଚିକିତ୍ସିତ ହେଉଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଦେହ ଜନ୍ମମାଟି ରୁପ୍ରାରୋଡରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ସାନ୍ଦୁଲ ନଦୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ସାନ ଭାଇ ଅନୁ ଅଗ୍ରୱାଲ ମୁଖାଗ୍ନୀ ଦେଇଥିଲେ।