ନୂଆପଡାରେ ହେବ ବିଗ ଫାଇଟ : କଣ୍ଟାବାଡ଼ ହୋଇ ପାରନ୍ତି ଟିକେଟ ଆଶାୟୀ ଏବଂ ଅସନ୍ତୁଷ୍ଟ ନେତୃ ମଣ୍ଡଳୀ

କଣ୍ଟାବାଡ଼ ହୋଇ ପାରନ୍ତି ଟିକେଟ ଆଶାୟୀ ଏବଂ ଅସନ୍ତୁଷ୍ଟ ନେତୃ ମଣ୍ଡଳୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ଆସନରେ ଏଥର ଏକ ବିଗ ଫାଇଟ ଦେଖିବାକୁ ମିଳିବ। ଏନେଇ ରାଜନୈତିକ ମହଲ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ନୂଆପଡା ବିଧାନସଭା ଆସନରୁ ବିଜେଡି ତାର ତୁଙ୍ଗନେତା ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ନିଜେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ। ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସୁପୁତ୍ର ତଥା ନୂଆପଡା ଯୁବମୋର୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଛି। ସବୁଦଳ ନିଜର ଦମଖମ ଲଗାଇ ଏହି ବିଧାନସଭା ଆସନ ହାତେଇବା ପାଇଁ ଚାହୁଁ ଥିବା ବେଳେ ନିଜେ ପ୍ରାର୍ଥୀ ମଧ୍ୟ ଏଠି ବିଜୟୀ ହୋଇ ନିଜର ରାଜନୈତିକ ଭବିଷ୍ୟତକୁ ବଞ୍ଚାଇବାର ପ୍ରୟାସ କରିବେ। ନୂଆପଡା ନିର୍ବାଚନ ମଣ୍ଡଳୀର ପ୍ରତେକ ଭୋଟର ଯେଉଁଦଳ ବା ପ୍ରାର୍ଥୀ ଉପରେ ଆଶୀର୍ବାଦ କରିବେ ସେ ହିଁ ଏହି ଆସନରୁ ବିଜୟୀ ହେବେ। ଶିକ୍ଷା, ସ୍ୱାସ୍ଥ୍ୟ, ଦାଦନ, ପାନୀୟ ଜଳ, ରୋଜଗାର, କୃଷି ସମସ୍ୟା ଭଳି ଅନେକ ଅସୁବିଧା ଥିବା ଏହି ସୀମାନ୍ତବର୍ତ୍ତୀ ନୂଆପଡା ଆସନରେ ଜଣେ କର୍ମବୀର ଓ ଲୋକସେବା କରୁଥିବା ଚେହେରାକୁ ଜନସାଧାରଣ ବିଶ୍ୱାସ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଆସନରେ ବିଭିନ୍ନ ଦଳରୁ ଟିକେଟ ନ ପାଇ ଥିବା ଏବଂ ଅସନ୍ତୁଷ୍ଟ ନେତା କାହା ସପକ୍ଷରେ କିମ୍ବା କାହା ବିପକ୍ଷରେ ଯିବେ ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ଟିକେଟ ଆଶାୟୀ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ବିଜେଡି ଯୁବ ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଅସନ୍ତୁଷ୍ଟ ନେତୃମଣ୍ଡଳୀ ରାଜ୍ୟ ସମ୍ପାଦକ ସରୋଜ ସାହୁ, ବିଜେପିରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ କୁମାର ପାଢ଼ୀ କଂଗ୍ରେସରୁ ଘାସିରାମ ମାଝୀ ପ୍ରମୁଖ ଏହି ଆସନରେ ଟିକେଟ ପାଇଥିବା ପ୍ରାର୍ଥୀଙ୍କ କଣ୍ଟାବାଡ଼ ହୋଇ ପାରନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.