ଭାଲିଆପଦର ପରେ ପୁଣି ଘୋଡ଼ାପୋଖରୀ ପ୍ରାଥମିକ ବିଦ୍ୟାଳୟରେ ପଡ଼ିଲା ତାଲା: ଅଭିଯୋଗ ଆଣିଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏପ୍ରିଲ ୨ ରୁ ସକାଳ ୭ ଘଣ୍ଟାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ପ୍ରାଥମିକରୁ ମାଧ୍ୟମିକ ସ୍କୁଲରେ ପାଠ ପଢ଼ାହେବା ନେଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପେଙ୍ଗଶୁର କ୍ଲଷ୍ଟର ଘୋଡ଼ାପୋଖରୀ ପ୍ରାଥମିକ ବିଦ୍ୟାଳୟରେ ଏକ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ସକାଳ ୭ ଘଣ୍ଟା ସମୟରେ ବିଦ୍ୟାଳୟ ଖୋଲା ଯାଇ ପାଠପଢ଼ା ହେବା ବଦଳରେ ମଙ୍ଗଳବାର ସକାଳ ୧୧ ଘଣ୍ଟିକା ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ପାଞ୍ଚଦିନ ତଳେ ବିଜେପୁର କ୍ଲଷ୍ଟରର ଭାଲିଆପଦର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ତାଲା ପଡିଥିବା ନେଇ ଓଡ଼ିଆ ବାର୍ତ୍ତାରେ ଖବର ପ୍ରକାଶ ପରେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଲୋକେ ସେହି ଚର୍ଚ୍ଚା ନ ଭୁଲୁଣୁ ପୁଣି ସେହିପରି ଘୋଡାପୋଖରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିଥିବା ଅଭିଯୋଗ ଆସୁଛି। ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପେଙ୍ଗଶୁର କ୍ଲଷ୍ଟର ଅଞ୍ଚଳରେ ରହିଥିବା ଘୋଡ଼ାପୋଖରୀ ପ୍ରାଥମିକ ବିଦ୍ୟାଳୟ ୨୦୦୮-୦୯ ମସିହାରେ ସ୍ଥାପନ ହୋଇଥିଲା। ଏହି ବିଶ୍ଵବିଦ୍ୟାଳୟରେ ଘୋଡ଼ାପୋଖରୀ ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠପଢୁଥିବା ବେଳେ ପ୍ରଧାନ ଶିକ୍ଷକ ସମେତ ସହ ଶିକ୍ଷକ ମଧ୍ୟ ରହିଛନ୍ତି। ଆଜି ବିଦ୍ୟାଳୟରେ ଗୋଟିଏ ଶିକ୍ଷକ ମଧ୍ୟ ଉପସ୍ଥିତ ନଥିବା ବେଳେ ଦିନ ୧୧ ଘଣ୍ଟା ପର୍ଯ୍ୟନ୍ତ ତାଲା ପଡ଼ିଥିବା ଚିତ୍ର ଦେଖିବାକୁ ମିଳିଥିଲା। ଭାଲିଆପଦର ଭଲି ଏହି ବିଦ୍ୟାଳୟ ମଧ୍ୟ ଉପାନ୍ତ ଅଞ୍ଚଳରେ ରହିଥିବାବେଳେ ଦାୟିତ୍ୱରେ ରହିଥିବା ସିଆରସିସି ଗୁରୁଗୋବିନ୍ଦ ମହାନ୍ତି ମଧ୍ୟ ନିୟମିତ ଭାବରେ ତଦନ୍ତ କରୁନାହାନ୍ତି ଯାହା ଫଳରେ ଅନେକ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ତେବେ ଉପାନ୍ତ ଅଞ୍ଚଳରେ ଏଭଳି ଭାବେ ଆଦିବାସୀଙ୍କ ସରଳତା ଦେଖି ଶିକ୍ଷକ ମାନେ ଏପରି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ସକାଳୁ ସ୍କୁଲ ଖୋଲି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କୁହାଯାଇଥିବା ବେଳେ ମଙ୍ଗଳବାର କୌଣସି ସରକାରୀ ଛୁଟି ମଧ୍ୟ ରହିନଥିଲା ହେଲେ ସକାଳୁ ୧୧ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡ଼ିଥିବା ବେଳେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଦାୟିତ୍ୱରେ ଥିବା ସିଆରସିସିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ମଧ୍ୟ ଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ କଲ ଟିକୁ ଗ୍ରହଣ କରିନଥିଲେ। ତେବେ କେଉଁ କାରଣରୁ ବିଦ୍ୟାଳୟରେ ତାଲା ପଡ଼ିଥିଲା ତାହା ତଦନ୍ତ ପରିସରଭୁକ୍ତକୁ ଅଣାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଲାଞ୍ଜିଗଡ଼ ଶିକ୍ଷାଅଧିକାରୀଙ୍କୁ ଗୁହାରି କରିଛନ୍ତି ଘୋଡ଼ାପୋଖରୀ ଗ୍ରାମବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.