ମିଲୁନି ଉଚିତ ପ୍ରାପ୍ୟ : ଚିନି, ଲୁଣ ପାଇଁ ଦଲାଲ ହାତେ ଟେକି ଦିଆଯାଉଛି ନିମ୍ବଫଳ

କଳାହାଣ୍ଡି/କୋକସରା,୨୩/୬ : ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ବସନ୍ତ ଋତୁର ଅଗମନ ପରେ ପରେ ବଣ ପାହାଡ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ଗ୍ରାମାଞ୍ଚଳର ଲୋକେ ମହୁଲ ଫୁଲ ସଂଗ୍ରହ କରି ବେଶ୍ କିଛି ପଇସା ରୋଜଗାର କରିଥାନ୍ତି । ଠିକ୍ ସେହିପରି ଗ୍ରୀଷ୍ମ ଋତୁର ଟାଣ ଖରାକୁ ଏମାନେ ଖାତିର ନକରି ନିମ୍ବଫଳ ଗୋଟାଇବାରେ ଲାଗିଥାନ୍ତି ।

ବର୍ତ୍ତମାନ ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ କାଉଡୋଲା, ବଡପୋଡାଗୁଡା, ଆମପାଣି, ବରାଡଙ୍ଗା, ଡୁଡୁକାଠେଙ୍ଗା, ଗୋତମୁଣ୍ଡା, ମହିମା, ଟେମରା, ପୋଡାଗୁଡା, ଖୁଣ୍ଟିଆ, ଳଡୁଗାଁ, ଡାଳଗୁମା ଆଦି ଅଞ୍ଚଳ ସମେତ ଲାଂଜିଗଡ, ଧର୍ମଗଡ, ଗୋଳାମୁଣ୍ଡା, କେସିଙ୍ଗା, ନର୍ଲା, କଲମପୁର, ଥୁଆମୂଲ ରାମପୁର, ମ.ରାମପୁର, ଜୁନାଗଡ, ଭବାନୀପାଟଣା, ଜୟପାଟଣା ଆଦି ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଚାଷ ଜମିରେ ଥିବା ନିମ୍ବଗଛ ତେଲେ ସକାଲୁ ସକାଲୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ନିମ୍ବଫଳ ଗୋଟାଇବାରେ ବ୍ୟସ୍ତଥିବା ଦେଖିବାକୁ ମିଲୁଛି । ଖବର ନେବାରୁ ଜଣାଯାଏ ଯେ, ଏମାନେ କୌଣସି କାମଧନ୍ଦା ନପାଇ ଘରେ ବସିରହିବା ବଦଲରେ ନିମ୍ବଫଳ ଗୋଟାଇବାରେ ଲାଗିପଡିଥିବା କୁହନ୍ତି । ନିମ୍ବଫଳର ଔଷଧିୟ ଗୁଣ ଥିବାରୁ ଏହାର ବେଶ୍ ଚାହିଦା ବଢିଥିବାବେଳେ ଏ ଅଞ୍ଚଳର ଅଧିକାଂଶ ଲୋକେ ଏହାର ଚାହିଦା ବିଶୟରେ ଭଲ ଭାବରେ ଜାଣିନଥିବା ବେଳେ ନିମ୍ବଗଛର ପ୍ରତ୍ୟେକ ଅଙ୍ଗ ଯଥା ପତ୍ର, ଫୁଲ, ଫଳ, ଛାଲ ଏବଂ ଶାଖା ଆଦି ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏଥିପାଇଁ ବେପାରୀ ମାନେ ଏବେ ଗାଁ ଗାଁ ବୁଲି ନିମ୍ବଫଳ ସଂଗ୍ରହ କରୁଥିବା ନଜରକୁ ଆସୁଛି । ପ୍ରାୟ ତିନ ରୁ ଚାରି ଦିନ ଧରି ନିମ୍ବଫଳ ଗୋଟାଇଲେ ଗୋଟିଏ ଟିପା ହୋଇଥାଏ ବୋଲି ନିମ୍ବଫଳ ଗୋଟାଲିମାନେ କୁହନ୍ତି ।

ବହୁକଷ୍ଟରେ ନିମ୍ବଫଳ କୁ ଗୋଟିଗୋଟି କରି ଗୋଟାଇବାକୁ ପଡୁଥିବା ବେଳେ ଟାଣ ଖରାରେ ସୁଖାଇଲା ପରେ ବିକ୍ରି ଉପଯୋଗୀ ହୋଇଥାଏ । ଅନ୍ୟପଟେ ଦଲାଲ ମାନେ ସେ ମାନଙ୍କୁ ଗୋଟିଏ ଟିପା ନିମ୍ବଫଳ ବଦଲରେ କିଲେ ଚିନି କିମ୍ବା ଲୁଣ, ସାବୁନ ଓ ସର୍ଫ ଆଦି ଦେଇ ଠକିଦେଉଛନ୍ତି । ଏପଟେ ସରକାରୀ ସ୍ତରରେ ଏହାର କୌଣସି ପ୍ରକାର ବିକ୍ରି କରିବାର ବ୍ୟବସ୍ଥା ନଥିବାବେଳେ ଲୋକେ କିଛି ଜିନିଷ ବଦଲରେ ଦଲାଲ ମାନଙ୍କ ହାତରେ ଏହାକୁ ଟେକି ଦେଉଛନ୍ତି । ଯାହା ଫଳରେ ଦଲାଲ ମାନେ ଏହାର ଭରପୁର ଫାଇଦା ଉଠାଇବା ସହ ମାଲେମାଲ ହେଉଛନ୍ତି । ସରକାରୀ ସ୍ତରରେ ଯଦି ଏହାର ବିକ୍ରି ବ୍ୟବସ୍ଥା କରାଯାନ୍ତା ତେବେ ଲୋକେ ଦଲାଲ ମାନଙ୍କ ଠାରୁ ଶିକାର ହେବାରୁ ବଞ୍ଚିତ ହୋଇ ତାଙ୍କର ଉଚିତ୍ ପ୍ରାପ୍ୟ ପାଇପାରନ୍ତେ ।

 

କଳାହାଣ୍ଡି ରୁ ଜଗଦୀଶ ଚନ୍ଦ୍ର ନାଏକ ଓ କୋକସରାରୁ ହିରଣ୍ୟ ବେହେରା ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.